ବସରେ ବୁଲିଲେ, ସ୍କୁଲ ଚଟାଣରେ ଶୋଇଲେ ମୁଖ୍ୟମନ୍ତ୍ରୀ । କୁମାରସ୍ୱାମୀଙ୍କ ଗାଁ ପ୍ରବାସ ଯାତ୍ରା, ରାଜ୍ୟସାରା ବୁଲି ଶୁଣୁଛନ୍ତି ଲୋକଙ୍କ ସମସ୍ୟା ।

210

କନକ ବ୍ୟୁରୋ : ବସରେ ବୁଲିଲେ କୁମାରସ୍ୱାମୀ । ଗାଁ ସ୍କୁଲରେ ଶୋଇଲେ ମୁଖ୍ୟମନ୍ତ୍ରୀ । ସଙ୍କଟରେ କର୍ଣ୍ଣାଟକ ସରକାର । ରାଜ୍ୟରେ ମେଂଟ ସରକାରକୁ ନେଇ ଛକାପଞ୍ଝା ଲାଗିରହିଥିବା ବେଳେ ଏପରି ସମୟରେ ସାଧାରଣ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଲୋକଙ୍କ ଅଭାବ ଅସୁବିଧାରେ ଠିଆ ହୋଇ ମନଜିତିିବାକୁ ଚେଷ୍ଟା କରୁଛନ୍ତି କୁମାରସ୍ୱାମୀ ।

ଗାଁ ପ୍ରବାସ କାର୍ଯ୍ୟକ୍ରମ ପାଇଁ ଗାଁ ଗାଁ ବୁଲି ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବସରେ ବୁଲିବା ସହ ସ୍କୁଲପିଲାଙ୍କ ସହ ରାତ୍ରିଭୋଜନ କରିଛନ୍ତି । ପରେ ସ୍କୁଲ ଚଟାଣରେ ରାତ୍ରି ଯାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ଗାଁ ପ୍ରବାସ କାର୍ଯ୍ୟକ୍ରମରେ ଶୁକ୍ରବାର ୟାଦଗୀର ଜିଲ୍ଲାର ଚନ୍ଦ୍ରକୀ ଓ କୁଲବର୍ଗୀ ଜିଲ୍ଲାର ହେରୁୁର-ବି ଗାଁରେ ପହଁଚିଥିଲେ । କିନ୍ତୁ ସେହି ସମୟରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଯେଉଁକାରଣରୁ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଗିତ କରିବାକୁ ପଡିଲା । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଆଉ ନିଜ ବାସଭବନକୁ ନଫେରି ୟାଦଗୀର ଗାଁ ସ୍କୁଲରେ ରାତି କଟାଇଥିଲେ । ସବୁଠୁ ବଡ କଥା ହେଉଛି ସେଠାରେ ବେଡ ନଥିବାରୁ ଚଟାଣରେ ଶୋଇଥିଲେ କୁମାରସ୍ୱାମୀ । ସେଠାରେ ପହଁଚିବା ପରେ ତାଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗ ହେଲା କୁମାରସ୍ୱାମୀଙ୍କ ରହିବା ପାଇଁ ଗାଁରେ ଫାଇଭ ଷ୍ଟାର ହୋଟେଲ ପରି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କୁମାରସ୍ୱାମୀ ଏହାକୁ ଖଣ୍ଡନ କରିବା ସହିତ କହିଛନ୍ତି ଆବଶ୍ୟକ ପଡିଲେ ସେ ରାସ୍ତାରେ ଶୋଇବାକୁ ବି ପ୍ରସ୍ତୁତ । ୨୦୦୬ରେ କୁମାରସ୍ୱାମୀ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ଏପରି ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଏବଂ ସେଠାରେ ରାତ୍ରୀଯାପନ କରୁଥିଲେ । ଏବେ ପୁଣି ସେହି ଫର୍ମୁଲା ଆପଣେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ତେବେ ଦେଖିବାର କଥା କୁମାରସ୍ୱାମୀଙ୍କ ଗାଁକୁ ଚାଲ ଫର୍ମୁଲା ତାଙ୍କ ସରକାରକୁ କେତେଦୂର ବଂଚାଇ ପାରୁଛି ।