ମୋଦିଙ୍କୁ ଝଟକା ପରେ ଝଟକା ! ଏପର୍ଯ୍ୟନ୍ତ ହାରି ସାରିଲେଣି ୧୦ଟି ଉପନିର୍ବାଚନ ।

845

କର୍ଣ୍ଣାଟକରେ ବିଜେପିକୁ ଝଟକା । ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଜେଡିଏସ ଏବଂ କଂଗ୍ରେସର ଗଠବନ୍ଧନ ନିଜ ଗଡ ବଞ୍ଚାଇବାରେ ସଫଳ ହୋଇଛି । ଏହା ସହ ବିଜେପି ନେତା ଶ୍ରୀରାମଲ୍ଲୁଙ୍କ ଗଡରେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଛି । ୨୦୧୪ରୁ ଶାସନ ଗାଦିରେ ବସିବା ପର ଠାରୁ କ୍ରମାଗତ ଭାବେ ଉପନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡୁଛି ।

ବେଲ୍ଲାରୀ, ଶିମୋଗା ଏବଂ ମାଣ୍ଡ୍ୟା ଲୋକସଭା ଆସନର ନିର୍ବାଚନୀ ଫଳ ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ବେଲ୍ଲାରୀ, ଶିମୋଗା ଆସନ ବିଜେପି କବଜାରେ ଥିଲା । କିନ୍ତୁ ମାଣ୍ଡ୍ୟା ଆସନ ଜେଡିଏସ ହାତରେ ରହିଥିଲା । ଆଜି ଆସିଥିବା ଉପନିର୍ବାଚନ ଫଳରେ ବିଏସ ୟେଦିୟୁରପ୍ପାଙ୍କ ପୁଅ ରାଘବେନ୍ଦ୍ର ୟେଦୁୟୁରପ୍ପା ଶିମୋଗା ଆସନରୁ ବିଜୟ ହାସଲ କରିଛନ୍ତି । ସେହିପରି ବେଲ୍ଲାରୀ ଲୋକସଭା ଆସନରେ, ବିଜେପି ନେତା ଶ୍ରୀରାମଲ୍ଲୁ ସାଂସଦ ଥିଲେ । କିନ୍ତୁ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ସେ ଲୋକସଭା ସଦ୍ୟସତା ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ହୋଇଥିବା ଉପନିର୍ବାଚନରେ ଦଳ ତାଙ୍କ ଭଉଣୀଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ବିଏସ ଉଗ୍ରପ୍ପା ତାଙ୍କୁ ମାତ୍ ଦେଇଛନ୍ତି । ସେହିପରି ମାଣ୍ଡ୍ୟା ଲୋକସଭା ଆସନରୁ ଜେଡିଏସ ପ୍ରାର୍ଥୀ ଏଲଆର ଶିବରାମ୍ମେ ଗୌଡା ବିଜୟ ହାସଲ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ଏପର୍ଯ୍ୟନ୍ତ ୩୦ ଲୋକସଭା ଆସନରେ ଉପନିର୍ବାଚନ ହୋଇଛି । ଆଉ ଏହି ଉପନିର୍ବାଚନ ଗୁଡିକରେ ବିଜେପିକୁ ଗୋଟିଏ ପରେ ଗୋଟିଏ ପରାଜୟର ସାମ୍ନା କରିବାକୁ ପଡୁଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମୋଟ ୨୮୨ ଆସନରେ ପଦ୍ମ ଫୁଟାଇଥିବା ବିଜେପି ୧୯୮୪ ଠାରୁ ୩୦ ବର୍ଷରେ ନିଜ ଦମରେ ବହୁମତ ହାସଲ କରିଥିବା ପ୍ରଥମ ଦଳ ଅଟେ ।

୨୦୧୪ ପରଠାରୁ ୩୦ଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଛି । ଯେଉଁଥିରୁ ୧୬ଟି ଆସନ ବିଜେପି କବଜାରେ ଥିଲା । କିନ୍ତୁ ଏବେ ମାତ୍ର ୬ଟି ଆସନ ବିଜେପି ପାଖରେ ରହିଛି । ଅର୍ଥାତ ଦଳକୁ ୧୦ଟି ଆସନ ହରାଇବା ପାଇଁ ପଡିଛି । ଆଉ ଏହି କାରଣରୁ ମୋଦି ସରକାରଙ୍କର ଆସନ ୨୮୨ରୁ ଖସି ଏବେ ୨୭୨ରେ ପହଞ୍ଚିଛି ।