ଘରୋଇ ଲ୍ୟାବରେ ମିଳୁଛି ସରକାରୀ କିଟସ୍ ! ମେଡିକାଲରେ ରକ୍ତ ପରୀକ୍ଷା ନକରି ବାହାରକୁ ପଠାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

127

କନକ ବ୍ୟୁରୋ : ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ଏଥପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାଗଣାରେ ଔଷଧ ଓ ବିଭିନ୍ନ ପରୀକ୍ଷା ପାଇଁ କିଟସ୍ ଯୋଗାଇଦେଉଛନ୍ତି ସରକାର । କିନ୍ତୁ କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ଅଂଚଳରେ ସରକାରଙ୍କ ଏହି କିଟସ୍ ଓ ମାଗଣା ଔଷଧ ବେସରକାରୀ କ୍ଳିନିକ ଓ ଦୋକାନରେ ମିଳୁଛି । ରୋଗୀ ଚଢ଼ା ଦରରେ କିଣି ରକ୍ତ ପରୀକ୍ଷା କରୁଛନ୍ତି । ଏହାକୁ ନେଇ ତିଖିରି ମେଡିକାଲରେ ଦେଖାଦେଇଛି ଉତ୍ତେଜନା ।

ଘରୋଇ ଦୋକାନରେ ସରକାରୀ ଔଷଧ । କ୍ଲିନିକରେ ମିଳୁଛି ସରକାରୀ ରକ୍ତପରୀକ୍ଷା କିଟସ୍ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ତିଖିରି ଅଂଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଡାକ୍ତର ଓ ଫାର୍ମାସିଷ୍ଟ ମେଡିକାଲରେ ରକ୍ତ ପରୀକ୍ଷା କରିବା ପରିବର୍ତ୍ତେ ବାହାରେ ଟେଷ୍ଟ ପାଇଁ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ସବୁଠୁ ସାଂଘାତିକ ଅଭିଯୋଗ ହେଉଛି ମେଡିକାଲକୁ ଆସୁଥିବା ରକ୍ତ ପରୀକ୍ଷା କିଟସକୁ ଘରୋଇ ଲ୍ୟାବରୋଟୋରୀକୁ ବିକ୍ରି କରିଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏବଂ ସେହି କିଟକୁ ନେଇ ଚଢ଼ା ଦରରେ ବାହାରେ ପରୀକ୍ଷା କରୁଛନ୍ତି ଘରୋଇ ପରୀକ୍ଷା କେନ୍ଦ୍ର । ଏହା ଜଣାପଡିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତିି ତିଖିରି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର । ଏବଂ ସେ କହିଛନ୍ତିି ଏହି କିଟସ୍ ତାଙ୍କ ମେଡିକାଲର ନୁହେଁ । ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ପ୍ରକାର ଅନିୟମିତତା ନାହିଁ । ଯେଉଁଠି ମିଳୁଚି ତାହା ତଦନ୍ତ କରନ୍ତୁ । ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ସବୁ ପ୍ରକାର ଯୋଜନା କରୁଥିବାବେଳେ ଏହା ବିଡମ୍ବନା ନୁହେଁ କି?