ଅନୁଗୁଳରେ ପୁଣି କଙ୍ଗାରୁ କୋର୍ଟରେ ହେଲା ଦଣ୍ଡବିଧାନ : ୱାର୍ଡମେମ୍ବରଙ୍କୁ ସହଯୋଗ ଅଭିଯୋଗରେ ପରିବାରକୁ ବାସନ୍ଦ

11

କନକ ବ୍ୟୁରୋ : କଙ୍ଗାରୁ କୋର୍ଟର ଆଉ ଏକ କାହାଣୀ ପଦାକୁ ଆସିଛି । ଅନୁଗଳ ବ୍ଲକ ରଗୁଡିଆପଡ଼ା କୋଠଘରେ ପ୍ରଶାନ୍ତ ପ୍ରଧାନଙ୍କ ପରିବାରକୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୫ତାରିଖରେ ଦୁଷ୍ମନ୍ତ ସାହୁଙ୍କୁ ଯେପରି ଦଣ୍ଡିତ କରାଯାଇଥିଲା ସେହିପରି ତାଙ୍କ ପଡୋଶୀଙ୍କୁ ମଧ୍ୟ ଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ନାଏବ ସରପଂଚ ନିର୍ବାଚନ ପୂର୍ବରୁ ୱାର୍ଡମେମ୍ବର ମଲ୍ଲିକା ସାହୁଙ୍କୁ ଅଜ୍ଞାତବାସରେ ପଠାଇବାରେ ପ୍ରଶାନ୍ତଙ୍କ ଭାଇ ସୁଶାନ୍ତ ସହଯୋଗ କରିଥିବାରୁ ଗାଁରେ କଙ୍ଗାରୁ କୋର୍ଟରେ ତାଙ୍କୁ ଦଣ୍ଡଦିଆଯାଇଛି । ଏଥିପାଇଁ ଗ୍ରାମସଭା ତାଙ୍କ ପରିବାରକୁ ଚାରି ମାସ ହେଲା ଗାଁରୁ ବାସନ୍ଦ କରିବା ସହ ଗତ ୫ତାରିଖ ବୈଠକରେ ୧୫ହଜାର ୫୧ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି ।

୨୫ତାରିଖ ସୁଦ୍ଧା ତାଙ୍କୁ ଏହି ଟଙ୍କା ପଇଠ କରିବାକୁ ଗ୍ରାମସଭା ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ୱାର୍ଡ ମେମ୍ବରଙ୍କୁ ଅଜ୍ଞାତବାସରେ ଯିବାରେ ସୁଶାନ୍ତ ସହଯୋଗ କରିଥିଲେ । ଏଥିପାଇଁ ଗ୍ରାମସଭା ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ନାଏବ ସରପଂଚ ନିର୍ବାଚନ ପୂର୍ବରୁ ଗାଁର କୋଠଘରେ ସଭା ବସିଥିଲା ମଲ୍ଲିକାଙ୍କୁ ହାଜର କରିବା ପାଇଁ ସୁଶାନ୍ତଙ୍କୁ କୁହାଯାଇଥିଲା । ହେଲେ ମଲ୍ଲିକା ଆସିନଥିଲେ । ସେବେଠୋରୁ ତାଙ୍କୁ ବାସନ୍ଦ କରାଯିବା ସହ ଜରିମାନ ଦେବା ପାଇଁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିଲା । ଗତ ୫ତାରିଖରେ ଗାଁରେ ଯେଉଁ ବୈଠକ ବସିଥିଲା ସେଥିରେ ଦୁଷ୍ମନ୍ତଙ୍କୁ ଘଂଟ ପିଟା ଦଣ୍ଡ ଦିଆଯାଇଥିବାବେଳେ ପ୍ରଶାନ୍ତଙ୍କୁ ୭୫ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା । କିନ୍ତୁ ଏତେ ଟଙ୍କା ଦେବାକୁ ସେ ଅସହାୟତା ପ୍ରକାଶ କରିବାରୁ ତାଙ୍କୁ ୧୫ହଜାର ୫୧ଟଙ୍କା ଜରିମାନ ଦେବାକୁ କୁହାଯାଇଥିବା ପ୍ରଶାନ୍ତ କହିଛନ୍ତି  ।