ଛାଁ ଛାଁ ଜଳିଯାଉଛି ଘର ପରେ ଘର ! ଭୌତିକକାଣ୍ଡର ଅନ୍ଧବିଶ୍ୱାସ କରି ଗାଁରେ ଚାଲିଛି ପୂଜାର୍ଚ୍ଚନା

35

କନକ ବ୍ୟୁରୋ : ଛାଁ ଛାଁ ଜଳିଯାଉଛି ଘର ପରେ ଘର । କାମାକ୍ଷାନଗର କନ୍ଦରାସିଂହା ଗାଁରେ ବାରମ୍ବାର ଘଟିଚାଲିଛି ଅଗ୍ନିକାଣ୍ଡ । ଲକ୍ଷାଧୀକ ଟଂକାର ଧନ ସମ୍ପତିକୁ ଗ୍ରାସ କରୁଛି ନିଆଁ । ବାରମ୍ବାର ଅଗ୍ନିକାଣ୍ଡ ପରେ ନିରୁପାୟ, ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ସର୍ବହରା ଅଗ୍ନିବିପନ୍ନ । ଏଭଳି ସ୍ଥିତିରେ ଅଗ୍ନିକାଣ୍ଡର କାରଣ ଖୋଜି ପାଉନି ପ୍ରଶାସନ । ଭୌତିକକାଣ୍ଡର ଅନ୍ଧବିଶ୍ୱାସ କରି ଗାଁରେ ପୂଜାର୍ଚ୍ଚନା କରୁଛନ୍ତି ବିପନ୍ନ ।

ସପ୍ତାହେ ଭିତରେ ପାଂଚପାଂଚ ଥର ଅଗ୍ନିକାଣ୍ଡ । କାମାକ୍ଷାନଗର କନ୍ଦରାସିଂହା ଗ୍ରାମବାସୀଙ୍କୁ ବିପନ୍ନ କରିଦେଇଛି ଅଗ୍ନିକାଣ୍ଡ । ହଠାତ ଲାଗୁଛି ନିଆଁ, ହୁ ହୁ ହୋଇ ଜଳିଯାଊଛି ଘର ପରେ ଘର । ୫୦ରୁ ଅଧିକ ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି । ପ୍ରଶାସନ ଅଗ୍ନିପିପନ୍ନଙ୍କୁ ମାତ୍ର ଖଣ୍ଡିଏ ଖଣ୍ଡିଏ ପଲିଥିନ ଦେଇ କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନିଆଁ ସର୍ବସ୍ୱ ଗିଳି ଦେବା ପରେ ଭୋକ ଉପାସରେ ପଡିରହିଛନ୍ତି ଅଗ୍ନିବିପନ୍ନ । ସହାୟତା ଦେଉନଥିବା ପ୍ରଶାସନିକ ବାବୁମାନେ ଘଟଣାସ୍ଥଳକୁ ଯାଇଁ ଅଗ୍ନିବିପନ୍ନଙ୍କୁ କଟୁ କଥା କହି ପରିହାସ କରୁଥିବା ଅଭିଯୋଗ ହୋଇଛି ।

ପ୍ରଶାସନ ଅଗ୍ନିକାଣ୍ଡର କାରଣ ଖୋଜି ପାଉନଥିବା ବେଳେ ଅସହାୟ ଅଗ୍ନିବିପନ୍ନମାନେ ଏହାକୁ ଭୌତିକକାଣ୍ଡ ବୋଲି ଧରିନେଇ ଗାଁ ଦାଣ୍ଡରେ ଠାକୁରାଣୀଙ୍କ ପୂଜାର୍ଚନା କରୁଛନ୍ତି । ପଣା ପାଣି ଦେଇ ମାଙ୍କୁ ସନ୍ତୁଷ୍ଟ କଲେ ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇବେ ବୋଲି ଆଶା ରଖିଛନ୍ତି ।