‘କାଳିଆ’ ଗଢିବ ଚାଷୀ ପରିବାର ପିଲାଙ୍କ ଭବିଷ୍ୟତ ! ‘କାଳିଆ’ ଛାତ୍ର ବୃତ୍ତି ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ଯୋଜନା ବିଷୟରେ ପୂରା ତଥ୍ୟ ।

1,528

କନକ ବ୍ୟୁରୋ : ଚାଷୀ ପରିବାର ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଯୋଜନା । ଚାଷୀ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଯୋଜନା  । ପ୍ରଥମେ ଗରିବ ଚାଷୀଙ୍କ ପାଇଁ ନବୀନ ପଟ୍ଟନାୟକ କାଳିଆ ଯୋଜନା କରିଥିବା ବେଳେ ଏବେ ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଛନ୍ତି । କେନ୍ଦୁଝରରେ ବିରାଟ କାଳିଆ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାର ଫାଇଦା କାଳିଆ ଯୋଜନାର ହିତାଧିକାରୀ ଚାଷୀ ପରିବାରର ପିଲାମାନେ ପାଇପାରିବେ ।

ଏହି ନୂଆ ଯୋଜନାରେ ଯୋଗ୍ୟ ବିବେଚିଚ ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରଫେସନାଲ କଲେଜରେ ନାମ ଲେଖାଇବା ସହ ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହାଦ୍ୱାରା ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇବେ ଚାଷୀଙ୍କ ପିଲା ।  ତେଣୁ ନିଜର ପିଲାମାନଙ୍କୁ ଭଲ ପାଠ ପଢାନ୍ତୁ ଆଉ ସେମାନଙ୍କର ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ନବୀନ । ଚାଷୀ ପରିବାରର ପିଲା ମାନେ ଡାକ୍ତର, ଇଞ୍ଜିନିୟର, ମ୍ୟାନେଜର, ଆଇନଜ୍ଞ ହୁଅନ୍ତୁ ସେଥିପାଇଁ ଏହି ଯୋଜନା ଆରମ୍ଭ କରିଥିବା କହିଛନ୍ତି ନବୀନ

ମୁଖ୍ୟମନ୍ତ୍ରୀ ନିଜ ଗସ୍ତ ସମୟରେ କେନ୍ଦୁଝର ଠାରେ ୬୬ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବା ସହ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ୱର ଶିଳାନ୍ୟାସ କରିଛନ୍ତି । ଏହାପୂର୍ବରୁ ରାଇରଙ୍ଗପୁର ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବା ସହ ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ରାଇରଙ୍ଗପୁର ବାସୀଙ୍କ ପାଇଁ ୩ଟି ବଡ ଘୋଷଣା କରିଛନ୍ତି ନବୀନ । ନୂଆ ହସ୍ପିଟାଲ, ଷ୍ଟାଡିୟମ ଓ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ନେଇ ବଡ ଘୋଷଣା କରିଛନ୍ତି ନବୀନ ।