ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ଫେଲ : ସରକାରୀ ଧାର୍ଯ୍ୟର ୧୫ ଦିନ ପରେ ବି କଳାହାଣ୍ଡିରେ ଖୋଲିନି ମଣ୍ଡି,ଦଲାଲକୁ ଧାନ ବିକିଲେ ଚାଷୀ

116

କନକ ବ୍ୟୁରୋ: ଫେଲ ମାରିଛି ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ।  ସରକାରଙ୍କ ଘୋଷଣା ଅନୁଯାୟୀ  କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ ତାରିଖ ଠାରୁ ଚଳିତ ଖରିଫ ଧାନ ସରକାରୀ ମଣ୍ଡିରୁ କିଣା ହେବାର ଥିଲା । ହେଲେ  ଘୋଷଣାର ୧୫୦ ଦିନ ପରେ ବି ମଣ୍ଡି ଖୋଲାଯାଇ ନାହିଁ । ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତି ହୋଇ ନଥିବାରୁ ମଣ୍ଡି ଖୋଲିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆନ୍ୟପଟେ ଟଙ୍କା ପାଇଁ ଚାଷୀ ଅମଳ ଧାନକୁ ଦଲାଲ ମାଧ୍ୟମରେ ମିଲକୁ ଚାଲଣ କରୁଥିବା ଅଭିଯୋଗ କରିଛନ୍ତି  ।

 

ମନ୍ତ୍ରୀଙ୍କ ଘୋଷଣାର ୧୫ ଦିନ ପରେ ବି ଖୋଲିନି ମଣ୍ଡି । ଯାହାର ଫାଇଦା ନେଇ କଳାହାଣ୍ଡି ଖଳାରୁ ଅମଳ ଧାନକୁ କମ୍ ଦରରେ କିଣି ନେଉଛନ୍ତି ମିଲର । କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୫ରୁ ମଣ୍ଡି ଜରିଆରେ ଖରିଫ ଧାନ ସଂଗ୍ରହ କରିବା ନେଇ ସମ୍ବଲପୁରରେ ଆର.ଡି.ସି ବୈଠକରେ ସୂଚନା ଦେଇଥିଲେ ସରକାର । ଯୋଗାଣ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଚାଷୀ ଆଶ୍ୱସ୍ତ ହୋଇଥିଲେ । ହେଲେ ନଭେମ୍ବର ୨୦ ହେଲାଣି, ଏଯାଏଁ ମଣ୍ଡି ଖୋଲି ନାହିଁ । ଫଳରେ ଚାଷୀ ଦଲଲାକୁ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଖରିଫ୍ ଋତୁରେ ୫୫ ଲକ୍ଷ ଟନ୍ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ପଶ୍ଚିମ ଓଡିଶାରୁ ୪୦ ପ୍ରତିଶତ ଧାନ ସଂଗ୍ରହ କରାଯିବ । କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ୪୭ ହଜାର ୫୮ କ୍ୱିଂଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ମିଲର୍ସ ଓ ଯୋଗଣା ବିଭାଗର ଚୁକ୍ତି ହେଉ ନଥିବାରୁ ଆଜି ଯାଏଁ ମଣ୍ଡି ଖୋଲା ଯାଇପାରୁନାହିଁ । ଫଳରେ ଆମଳ ଧାନକୁ କଳାହାଣ୍ଡି ଚାଷୀ ଖଳାରୁ ଦଲାଲକୁ  କମ୍ ଦରରେ ବିକ୍ରି କରିଦେଉଛି ।

ରାଇସ୍ ମିଲ ମାଲିକମାନେ ବକେୟା ଟଙ୍କା ଦାବି କରିବା ସହ ଗୋଦାମ ଭଡା ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ତେଣୁ ମିଲରଙ୍କ ସହ ଚୁକ୍ତି ହୋଇପାରୁନାହିଁ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିବା ବେଳେ ଧାନ ଅମଳ ହୋଇନଥିବା ଯୁକ୍ତି ବାଢୁଛନ୍ତି ଯୋଗାଣ ବିଭାଗ ।