ଆଜି ହଟିବ ସସପେନ୍ସ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ନେଇ ହେବ ଘୋଷଣା ! ନଡ୍ଡା ଓ ଜୟରାମ ଠାକୁର ରେସରେ ଆଗରେ

27

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଜାରି ରହିଥିବା ସସପେନ୍ସ ଆଜି ଦୂର ହେବ । ହିମାଚଳର ମଙ୍ଗ କିଏ ଧରିବ ସେ ନେଇ ଆଜି ଦଳ ନିଷ୍ପତି ନେବ ବୋଲି ସୂଚନା ମିଳିଛି । କିନ୍ତୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ସହମତି ହୋଇପାରୁନାହିଁ । ତେବେ ସୁତ୍ର ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠାରୁ ଆଗରେ ଅଛନ୍ତି । ସେହିଭଳି ୫ ଥର ବିଧାୟକ ହୋଇଥିବା ଜୟରାମଠାକୁର ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି ।

nadda_modi_750_1514083566_618x347ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ହିମାଚଳ ପ୍ରଦେଶ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରେମ କୁମାର ଧୂମଲ ନାଁ ଘୋଷଣା କରିଥିଲା । କିନ୍ତୁ ନିର୍ବାଚନରେ ପରାଜୟ ବରଣ କରିବା ପରେ ଧୂମଲ ଏହି ରେସରୁ ବାଦ ପଡିଛନ୍ତି । ଏପରିକି ସେ ଆଉ ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି ବୋଲି ଧୂମଲ କହିଛନ୍ତି । ସେଥିପାଇଁ ନଡ୍ଡା କିମ୍ବା ଜୟରାମ ଠାକୁରଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ନାମରେ ମୋହର ମାରିବା ପୂର୍ବରୁ ଆଜି ଦିନ ପ୍ରାୟ ୧୨ଟା ୩୦ରେ ସିମଲାରେ ବିଜେପି ବିଧାୟକ ଦଳ ବୈଠକ ବସିବ । ତା ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ନରେନ୍ଦ୍ର ତୋମର ବୈଠକ କରିବେ । ନେତା ନିର୍ବାଚନ ପାଇଁ ସିମଳାରେ ରାଜନୀତି ସରଗରମ ରହିଛି । ହିମାଚଳ ବିଜେପିର ସମସ୍ତ କୋର କମିଟି ସଦସ୍ୟ, ରାଜ୍ୟର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ବି ସିମଳା ପଂହଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ନିର୍ବାଚନରେ ପରାଜୟ ବରଣ କରିଥିବା ଧୂମଲଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି । ଏପରିକି ଜେ.ପି ନଡ୍ଡା ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ପ୍ରେମ କୁମାର ଧୂମଲ କିମ୍ବା ଅନୁରାଗ ଠାକୁରଙ୍କୁ କେନ୍ଦ୍ରମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।