ପୁରୀ ବଡଦାଣ୍ଡରେ ଖଣ୍ଡଯୁଦ୍ଧ । ସାମ୍ବାଦିକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ୍ । ଏସପ କହିଲେ, ସିସିଟିଭି ଫୁଟେଜର କରାଯିବ ଯାଂଚ

39

କନକ ବ୍ୟୁରୋ: ପୁରୀର ଏକ ପେଟ୍ରୋଲ ପମ୍ପରେ ନିମ୍ନମାନର ତେଲ ଦିଆଯାଉଥିବା ଅଭିଯୋଗରେ ଗତକାଲି ରାତିରେ ସ୍ଥାନୀୟ ଲୋକେ ଭଂଗାରୁଜା କରିଥିଲେ । ତେବେ ହଠାତ୍ ପୋଲିସ ସେଠାରେ ପହଁଚି ଲାଠିଚାର୍ଜ କରିଥିଲା । ଏହି ସମୟରେ ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ପୋଲିସ କିଛି ଶୁଣିନଥିଲା । ସେପଟେ ପେଟ୍ରୋଲ ପମ୍ପ ଭଙ୍ଗାରୁଜା ଓ ସାମ୍ବାଦିକଙ୍କୁ ମାଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ।

ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ନିମ୍ନମାନର ତେଲ ଅଭିଯୋଗ କରି ତାତି ଉଠିଥିଲେ ସ୍ଥାନୀୟ ଲୋକ । ବାରମ୍ବାର ଏହି ଅଭିଯୋଗ ହେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଗତକାଲି ରାତିରେ ଲୋକେ ଏକାଠି ହୋଇ ପେଟ୍ରୋଲ ପମ୍ପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପେଟ୍ରୋଲ ପମ୍ପରେ ଥିବା ଗାଡି, ଟାଙ୍କି ଓ ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଜନଗହଳି ସ୍ଥାନରେ ଏପରି ଭଙ୍ଗାରୁଜାକୁ ପ୍ରଥମରୁ ଅଟକାଇ ନଥିଲା ପୋଲିସ । ହଠାତ୍ ଆରମ୍ଭ କରି ଦେଇଥିଲା ଲାଠିଚାର୍ଜ । ଯାହାକୁ ପାଇଲା ଗୋଡାଇ ପିଟିଲା ପୋଲିସ । ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ ସେମାନେ ତ ଖସିଗଲେ । ହେଲେ ପୋଲିସର ରୋଷର ଶିକାର ହୋଇଥିଲେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ । ସାମ୍ବାଦିକ ବୋଲି ପରିଚୟ ପତ୍ର ଦେଖାଇଥିଲେ ବି ଛାଡିନଥିଲା ପୋଲିସ । ପୁଲିସର ମାଡ଼ରେ ଆହତ ହୋଇଥିଲେ ୪ ଜଣ ସାମ୍ବାଦିକ ।

ସେପଟେ ପେଟ୍ରୋଲ ପମ୍ପ ଭଙ୍ଗାରୁଜା ଘଟଣା ଓ ସାମ୍ବାଦିକଙ୍କୁ ମାଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ସିସିଟିଭି ଯାଂଚ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ମେଡିକାଲ ରୋଡ ଛକରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ଏସପି ଓ କୁମ୍ଭାରପଡା ଥାନା ଅଧିକାରଙ୍କ ନିଲମ୍ବନ ଦାବି କରିବା ସହ ପେଟ୍ରୋଲ ପମ୍ପକୁ ହଟାଇବା ଦାବିରେ ଅଡି ବସିଥିଲେ ଲୋକେ । ଏସପି ଘଟଣା ସ୍ଥଳରେ ପହଂଚି ଉତେଜନାକାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ ରାସ୍ତା ରୋକ ହଟିଥିଲା । ତେବେ ଏହି ଘଟଣା, ପୁରୀ ସହର ଭଳି ସମ୍ବେଦନଶୀଳ ଅଂଚଳରେ ହୁଗୁଳା ଆଇନ ଶୃଙ୍ଖଳା ବ୍ୟବସ୍ଥାର ଚିତ୍ର ସାମନାକୁ ଆଣିଛି ।