ବିଶ୍ୱ ହୃଦୟ ଦିବସରେ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ ! ଜନ ସଚେତନତା ପାଇଁ ସମ୍ବାଦ-କନକ ନ୍ୟୁଜ ଓ କଳିଙ୍ଗ ହସ୍ପିଟାଲ୍ ଆୟୋଜନ କଲା ୱାକାଥନ ।

43

କନକ ବ୍ୟୁରୋ : ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା । ବିଶ୍ୱ ହୃତପିଣ୍ଡ ଦିବସରେ ଏକ ସର୍ଭେରୁ ଜଣାପଡିଛି, ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବା ସମ୍ଭାବନା  ଅଧିକ । ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଯୋଗୁଁ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ କରାଉଛି । ରିପୋର୍ଟ କହୁଛି, ମହିଳା ମାନଙ୍କ କ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ । ୱାର୍ଲଡ ହାର୍ଟ ଡେ ଅବସରରେ ଜନ ସଚେତନତା ପାଇଁ ସମ୍ବାଦ, କନକ ନ୍ୟୁଜ ଓ କଳିଙ୍ଗ ହସ୍ପିଟାଲ ଆନୁକୂଲ୍ୟରେ ଆୟୋଜିତ ହୋଇଛି ୱାକାଥନ ।

ସାମ୍ନାକୁ ଆସିଲା ସାଂଘାତିକ ସତ । ବୟସ ମାନୁନି ହୃତଘାତ । ୱାର୍ଲଡ ହାର୍ଟ ଫେଡେରେସନର ସର୍ଭେରୁ ଜଣାପଡିଛି ଚିନ୍ତା କରିବା ଭଳି ତଥ୍ୟ । ମିଳିଥିବା ତଥ୍ୟ ଅନୁସାରେ ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ । ବିଶେଷକରି ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଫଳରେ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ ପାଇଁ ବାଟ କଢାଉଛି ।

ଏହି ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପ୍ରତି ବର୍ଷ ୧୭.୭ ନିୟୁତ ଲୋକ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି । ଭାରତରେ ହୃଦଘାତ ଜନିତ ମୃତ୍ୟୁ ଉଦବେଗଜନକ । ୧୯୯୦ରୁ ୨୦୧୬ ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୪ ପ୍ରତିଶତ ବଢିଛି । ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୨୦୯ ଜଣ ହୃଦଘାତରେ ମୃତ୍ୟୁବରଣ କରୁଥିବା ଜଣାପଡିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାମାନଙ୍କ କ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ।

ପୃଷ୍ଟିକର ଖାଦ୍ୟର ଅଭାବ, ପରିବେଶ ପ୍ରଦୂଷଣ, ଧୂମପାନ ଓ ତମାଖୁ ସେବନ ପରି ବିଶୃଙ୍ଖଳିତ ଜୀବନ ଶୈଳୀ ଏବଂ ମୋଟାପଣ ଆଦି ହୃଦଘାତର କାରଣ ପାଲିଟିଛି । ସେହିପରି ଅତ୍ୟଧିକ କାମର ଚାପ ମଧ୍ୟ ଅନ୍ୟ ଏକ କାରଣ ବୋଲି ରିପୋର୍ଟ କହୁଛି । ସପ୍ତାହରେ ଯେଉଁମାନେ ୫୫ ଘଂଟାରୁ ଅଧିକ କାମ କରନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ୩୩ ପ୍ରତିଶତ ରହିଛି । ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିବା କର୍ମଜୀବୀଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଛି ।

ୱାର୍ଲଡ ହାର୍ଟ ଡେ ଅବସରରେ ଜନ ସଚେତନତା ପାଇଁ ଭୁବନେଶ୍ୱର ଜନତା ମଇଦାନରୁ କଳିଙ୍ଗ ହସ୍ପିଟାଲ ଯାଏଁ କରାଯାଇଛି ପଦଯାତ୍ରା । ସମ୍ବାଦ-କନକ ନ୍ୟୁଜ ଓ କଳିଙ୍ଗ ହସ୍ପିଟାଲ ଆନୁକୂଲ୍ୟରେ ଆୟୋଜିତ ୱାକାଥନରେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି, କ୍ରିକେଟର ଦେବାଶିଷ ମହାନ୍ତି, ଆଥଲେଟ ଦୂତି ଚାନ୍ଦ, ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ୱାକାଥନରେ ଶହ ଶହ ଯୁବକ ଯୁବତୀ ସାମିଲ ହେବା ସହ ହୃତପିଣ୍ଡ ସୁରକ୍ଷା ହିଁ ଜୀବନ ରକ୍ଷା ବୋଲି ବାର୍ତା ଦେଇଛନ୍ତି ।