ବାହାଘର ଚାଲିଥିବା ସମୟରେ କଳା କନା ବୁଲାଇଲେ ଚୋର ! କନ୍ୟାପକ୍ଷର ମୁଲ୍ୟବାନ ସୁନାଗହଣା ସହ ଉପହାର ଚୋରି ଅଭିଯୋଗ

35

କନକ ବ୍ୟୁରୋ : ବାହାଘର ଚାଲିଥିବା ସମୟରେ ଚୋରି । ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ବାହାଘର ଚାଲିଥିବା ବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି । କନ୍ୟାପକ୍ଷର ମୁଲ୍ୟବାନ ସୁନାଗହଣା ସହ ଦାମି ଉପହାର ଚୋରି ହୋଇଛି । ମଣ୍ଡପର ଦୁଇଟି ରୁମରେ ପଛପଟ ଝରକା ତାଡ଼ି ୯ ଭରି ସୁନା ସହ ୪ ରୁ ୫ ଲକ୍ଷ ନଗଦଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଚୋରମାନେ ଏକ ବାହାଘର ସ୍ଥଳକୁ ଟାରଗେଟ କରି ମୋଟା ଅଙ୍କର ସାମଗ୍ରୀ ଚୋରି କରିବାରେ ସଫଳ ହେବା ସାରା ସହରରେ ଚର୍ଚ୍ଚା ସୃଷ୍ଟି କରିଛି । ସୂଚନାଯୋଗ୍ୟ ମୁଦିପଡ଼ା ନିବାସୀ ରଂଜନ କୁମାର ପଣ୍ଡାଙ୍କ କନ୍ୟା ବାହାଘର ମଙ୍ଗଳବାର ସଂଧ୍ୟାରେ ରୟାଲ ରିଟ୍ରିଟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଭ୍ରାନ୍ତ ବାହାଘରରେ ବହୁ ସଂଖ୍ୟାରେ ଅତିଥି ଯୋଗ ଦେଇ ଉପହାରଭାବେ ଅନେକ ଗୁଡ଼ିଏ ଲଫାପାରେ ନଗଦ ଅର୍ଥ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ କନ୍ୟାକୁ ପ୍ରଦାନ କରିଥିଲେ । ନିକଟ ସଂପର୍କୀୟମାନେ ସ୍ୱର୍ଣ୍ଣ ଅଳଙ୍କାର କନ୍ୟାକୁ ପ୍ରଦାନ କରିଥିଲେ । ରାତିରେ ବାହାଘର ଆରମ୍ଭ ହେବା ପରେ ପରିବାର ଲୋକ ସମସ୍ତ ଉପହାର ସାମଗ୍ରୀକୁ ଗୋଟିଏ କୋଠରିରେ ଭର୍ତ୍ତି କରି ବାହାର ପଟୁ ତାଲା ଲଗାଇ ବାହା ବେଦି ନିକଟକୁ ଚାଲି ଆସିଥିଲେ ।

ନିକଟ କୋଠରିଟି କ୍ୟାଟରିଂ ସଂସ୍ଥାର ମହିଳା ୱେଟରମାନଙ୍କୁ ଦିଆ ଯାଇଥିଲା ଓ ତହିଁରେ ସେମାନେ ନିଜ ବ୍ୟକ୍ତିଗତ ସାମଗ୍ରୀ ରଖି ତାଲା ଦେଇ ବାହାରେ କାମରେ ଲାଗିଥିଲେ । ରାତି ପ୍ରାୟ ୧୨ଟା ବେଳେ ଜଣେ ମହିଳା କର୍ମଚାରୀ ନିଜ କୋଠରିକୁ ଯାଇ ଦେଖିଲା ବେଳକୁ ସାମଗ୍ରୀ ଗୁଡ଼ିକ ବିକ୍ଷିପ୍ତଭାବେ ପଡ଼ିଥିଲା ଓ କୋଠରିର ଝର୍କା ଖୋଲା ଥିଲା । ସେ ବାହାରକୁ ଆସି ସମସ୍ତଙ୍କୁ ଡାକି ଥିଲେ। କନ୍ୟା ଘର ଲୋକ ଯାଇ ନିକଟସ୍ଥ ନିଜ କୋଠରି ଦେଖିଲା ବେଳକୁ ସେହି କୋଠରିର ମଧ୍ୟ ଝରକା ଖୋଲି ସବୁ ଉପହାର ସାମଗ୍ରୀ (ଟଙ୍କା ଓ ଅଳଙ୍କାର) ଗାୟବ ହୋଇ ଯାଇଥିଲା । ଏନେଇ କନ୍ୟା ପିତା ଶ୍ରୀ ପଣ୍ଡା ବୁଧବାର ଅଇଁଠାପାଲି ଥାନାରେ ଏତଲା ଦେଇଛନ୍ତି ।