ଗାଡି ଚାଳକଙ୍କ ପାଇଁ ବଡ ଖବର ! ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବା ହେବ ବାଧ୍ୟତାମୂଳକ, କେନ୍ଦ୍ର ସରକାର ଖୁବଶୀଘ୍ର କରି ପାରନ୍ତି ଘୋଷଣା

28

କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ କରିବାକୁ କେନ୍ଦ୍ର ସରକାର ଖୁବଶୀଘ୍ର ନିଷ୍ପତି ନେଇପାରନ୍ତି । ଏହାଦ୍ୱାରା ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ଦୂର କରା ଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ସବୁ ରାଜ୍ୟକୁ ଏହି ପ୍ରକିୟାରେ ଯୋଡିବା ପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ସଡକ ସୁରକ୍ଷାକୁ ନେଇ ଗଠିତ ହୋଇଥିବା ସମିତି ଏନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟକୁ ପ୍ରଦାନ କରିଛନ୍ତି । ଏହି ସମିତିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ଜଜ କେଏସ ରାଧାକୃର୍ଷ୍ଣନଙ୍କୁ ନିଯୁକ୍ତି ଦିଆଯାଇଛି ।

ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏହି ରିପୋର୍ଟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏବେ ବିଭିନ୍ନ ଆକାଉଣ୍ଟରେ ଆଧାର ଲିଙ୍କ କରିବାକୁ କେନ୍ଦ୍ର ସରକାର ଯେଉଁ ନିୟମ ଆଣିଛନ୍ତି ତାହା ଉପରେ ଶୁଣାଣି ଚାଲିଛି । ଏହି ରିପୋର୍ଟରେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ଉପରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଏନେଇ ସଡ଼କ ପରିବହନ ମନ୍ତ୍ରାଳୟ ସଚିବଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ସମିତିର ଅଧ୍ୟକ୍ଷ ରାଧାକୃର୍ଷ୍ଣନ । ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ରୋକିବା ପାଇଁ ଏବେ ସାରଥୀ-୪ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ଦେଶର ସମସ୍ତ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର ସହ ଲିଙ୍କ କରାଯିବ । ଏହାଦ୍ୱାରା ଦେଶର କୌଣସି ସ୍ଥାନରେ ମଧ୍ୟ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରସ୍ତୁତ କରାଯାଇପାରିବ ନାହିଁ ।