ଜେଲ ଗଲେ ଜୟନାରାୟଣ ! ତିନି ସପ୍ତାହ ପରେ ଗିରଫ, ତା ପରେ ଜେଲ । ଲାଗିଲା ହତ୍ୟାକାଣ୍ଡର ସଙ୍ଗୀନ ଦଫା, ନବୀନ କହିଲେ, ଆଇନ ତା ବାଟରେ ଯିବ

25

କନକ ବ୍ୟୁରୋ : ବରଗଡ଼ ବନାବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଗଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର । ଗୁଳିକାଣ୍ଡର ଷଡଯନ୍ତ୍ର ପଛରେ ଜୟନାରାୟଣଙ୍କ ସଂପୃକ୍ତି ଅଭିଯୋଗରେ ଆଜି ପଦମପୁର ପୁଲିସ ତାଙ୍କୁ ସମ୍ବଲପୁରରୁ ଗିରଫ କରିଥିଲା । ଆଉ ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ସୋହେଲା ଜେଲକୁ ଯିବାକୁ ପଡ଼ିଛି । ଏହି ଘଟଣାକୁ ବିଜେପି ଭିତିହୀନ କହିବା ସହ ଉର୍ଦ୍ଦେଶ୍ୟମୁଳକ ଭାବରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ କରିଛି । ଏପଟେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି-ଆଇନ ତା’ବାଟରେ ଯିବ ।

ବନାବିରା ଗୁଳିକାଣ୍ଡ ମାମଲାରେ ପୁଲିସ୍ ଜାଲରେ ବିଜେପିର ବଡ଼ ନେତା । ପରଦା ପଛରେ ରହି ଗୁଳିକାଣ୍ଡକୁ ପରିଚାଳନା କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି-ସମ୍ବଲପୁରର ତୁଙ୍ଗ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ, ସୁବ୍ରତ ସିଂଙ୍କ ଉପରେ ଗୁଳିମାଡ଼ ଏବଂ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଜୟ- ନାରୟଣଙ୍କ ଜାମିନ ନାମଞ୍ଜୁର ହେବା ପରେ ସୋହେଲା ଜେଲକୁ ପଠାଇ ଦିଆଯାଇଛି ।

ବଡ କଥା ହେଉଛି ଜୟନାରାୟଣଙ୍କ ବିରୋଧରେ ଲାଗିଛି ଆଇପିସିର ବିଭିନ୍ନ ସଂଗୀନ ମାମଲା । ୩୦୨-ହତ୍ୟା, ୩୦୭ ହତ୍ୟା ଉଦ୍ୟମ, ୩୨୩-ସ୍ୱେଚ୍ଛାକୃତ ଭାବରେ ହିଂସା ସୃଷ୍ଟି କରିବା, ୧୪୭-ଦଙ୍ଗା ସୃଷ୍ଟି କରିବା ଭଳି ମାମଲା ରୁଜୁ ହୋଇଛି । ଏହାବ୍ୟତୀତ ବେଆଇନ ଭାବରେ ବନ୍ଧୁକ ତଥା ଅସ୍ତ୍ରଶସ୍ତ୍ର ପାଇଁ ୨୫ ଏବଂ ୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି । ଅଚାନକ୍ ଜୟନାରାୟଣ ମିଶ୍ରଙ୍କ ଘରେ ପହଂଚିଥିଲା ପଦ୍ମପୁର ପୁଲିସ୍ । ବେଶ କିଛି ସମୟ ଗୁଳିକାଣ୍ଡ ମାମଲାରେ ପଚରାଉଚରା କରିବା ପରେ ସିଧାସଳଖ ଜୟନାୟରଣ ଏବଂ ତାଙ୍କ ସହଯୋଗୀ ଶିବ ଦିୱାନଙ୍କୁ ଉଠାଇ ଆଣିଥିଲା ପୁଲିସ୍ । ଯେଉଁ ସମୟରେ ପୁଲିସକୁ ନାକେଦମ୍ କରି ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚର ସଦସ୍ୟା । ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ବାଟ ଓଗାଳିଥିଲେ ବିଜେପିର ମହିଳା ମୋର୍ଚ୍ଚା ।

ଯେହେତୁ ପୁରା ଘଟଣା ରାଜନୈତିକ ପ୍ରତିଦ୍ୱନ୍ଦିତାକୁ କେନ୍ଦ୍ରକରି ଘଟିଥିବା ଅଭିଯୋଗ ହେଉଛି ଏବଂ ଏଥିରେ ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଜେଲ ଯିବାକୁ ପଡୁଛି, ସେତିକି ବେଳେ ରାଜନୈତିକ ବୟାନବାଜୀ ବି ବେଶ ସରଗରମ ହୋଇଛି । ଉଭୟ ବିଜେଡି ଓ ବିଜେପି ଦିଲେଶ୍ୱର ହତ୍ୟାକାଣ୍ଡ ଘଟଣାରେ ପରସ୍ପରକୁ ଦାୟୀ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି-ଆଇନ୍ ତା’ ବାଟରେ ଯିବ ।
ଫେବୃୟାରୀ ୨୨ରୁ ମାର୍ଚ୍ଚ ୧୫, ଏହାରି ଭିତରେ ୮ଜଣଙ୍କୁ ଗିରଫ କରିଛି ବରଗଡ଼ ପୁଲିସ । ପୂର୍ବରୁ ୬ଜଣଙ୍କୁ ଗିରଫ ହୋଇଥିବା ବେଳେ ଗୁରୁବାର ଜୟନାରାୟଣଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ।