ଜାପାନ ମୁତୟନ କଲା ମିସାଇଲ ଇଣ୍ଟରସେପ୍ଟର ! ଉତ୍ତରକୋରିଆର ଧମକ ପରେ ସତର୍କ ହେଲା ଦେଶ

58

କନକ ବ୍ୟୁରୋ : ଉତ୍ତର କୋରିଆ ଗତ ସପ୍ତାହରେ ଜାପାନ ଉପର ଦେଇ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଏବଂ ଜାପାନକୁ ସମୁଦ୍ରରେ ବୁଡ଼ାଇଦେବ ବୋଲି ଧମକ ଦେବାପରେ ଜାପାନ ଏବେ ଏହାର ସୁରକ୍ଷା ଦିଗ ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିଛି । ଉତ୍ତର କୋରିଆର ଯୋଜନାକୁ ପଣ୍ଡ କରିବା ଉଦ୍ଦେଶ୍ୟରେ ଜାପାନ ଆଜି ଉତ୍ତର କୋରିଆର ବିମାନ ଉଡ଼ାଣ ପଥ ନିକଟରେ ଏକ ମିସାଇଲ ଇଣ୍ଟରସେପ୍ଟର ବା କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରୁଥିବା ପଦ୍ଧତି ମୁତୟନ କରିଛି । ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଇଟସୁନୋରି ଓନୋଡ଼େରା କହନ୍ତି ଏକ ପାଟ୍ରିଅଟ୍‌ ଆଡଭାନ୍ସଡ କାପାବିଲିଟି-୩ ଇଣ୍ଟରସେପ୍ଟର ୟୁନିଟ୍‌ ବା ପାକ-୩ ୟୁନିଟ୍‌ ଦକ୍ଷିଣ ପୂର୍ବ ହୋକାଇଡ଼ୋର ହକୋଡେଟ୍‌ ଘାଟିରେ ମୁତୟନ କରାଯାଇଛି ।

କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ଇଟସୁନୋରି କହିଛନ୍ତି । ଗୋଟିଏ ମାସ ମଧ୍ୟରେ ଉତ୍ତର କୋରିଆର ଦୁଇ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା ପରେ ଜାପାନ ଏହି ପଦକ୍ଷେପ ନେଇଛି । ହକୋଡ଼େଟ୍‌ର ଉତ୍ତରପୂର୍ବରୁ ୮୦ କିମି ଦୂରରେ ହୋକ୍କାଇଡ଼ୋର ୟାକୁମୋ ସହରର ଅନ୍ୟ ଏକ ଘାଟିରୁ ଏହି ପାକ୍‌-୩ ଅଣାଯାଇଛି । ଏହି ସିଷ୍ଟମ୍‌ର ପରିସର ପାଖାପାଖି ୨୦ କିଲୋମିଟର ପର୍ଯ୍ୟନ୍ତ ଉତ୍ତର କୋରିଆ ଆମେରିକାର ଗୁଆମ ଦ୍ୱୀପକୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିବାର ଧମକ ଦେବାପରେ ଜାପାନ ରାଜଧାନୀକୁ ସୁରକ୍ଷା ଦେବା ଦିଗରେ ବ୍ୟବହୃତ ହୋଇଥିବା ଜାପାନର ୩୪ ପାକ୍‌-୩ ୟୁନିଟ୍‌ରୁ ଅଧିକ ୪ଟି ଏବେ ଦକ୍ଷିଣ ପଶ୍ଚିମ ଜାପାନରେ ପୁନଃସ୍ଥାପିତ କରାଯାଇଛି । ଜାପାନ ନିକଟରେ ଏବେ ଦ୍ୱିସ୍ତରୀୟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପଦ୍ଧତି ରହିଛି। ପ୍ରଥମଟି ଷ୍ଟାଣ୍ଡାର୍ଡ ମିସାଇଲ-୩ ଇଣ୍ଟରସେପ୍ଟର ଏବଂ ଦ୍ୱିତୀୟଟି ପାକ୍‌-୩ ।