ଭାରତରେ ମାନ୍ଦାବସ୍ଥା ! ବ୍ୟୟ ବଢ଼ାଇବାକୁ ଏସବିଆଇ ରିପୋର୍ଟରେ ସରକାରଙ୍କୁ ପରାମର୍ଶ

39

ଭାରତର ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିସାରିଛି । କୌଣସି ବୈଷୟିକ କାରଣ ଯୋଗୁଁ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇ ନାହିଁ ବରଂ ଏହା ବାସ୍ତବ ମାନ୍ଦାବସ୍ଥା ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଗବେଷଣା ରିପୋର୍ଟରେ କୁହାଯାଇଛି ।

୨୦୧୬ ସେପ୍ଟେମ୍ବରରୁ ଦେଶ ମାନ୍ଦାବସ୍ଥା ପର୍ଯ୍ୟାୟ ଦେଇ ଗତି କରୁଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ପର୍ଯ୍ୟନ୍ତ ଦେଖାଦେଇଥିବା ମାନ୍ଦାବସ୍ଥା କୌଣସି ମତେ ବୈଷୟିକ କାରଣରୁ ହୋଇନାହିଁ କିମ୍ବା ଏହା କ୍ଷଣସ୍ଥାୟୀ ନୁହେଁ ବୋଲି ଏସବିଆଇ ଏହାର ଗବେଷଣା ରିପୋର୍ଟରେ କହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ବିଜେପି ସଭାପତି ଅମିତ ଶାହ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେତେକ ବୈଷୟିକ କାରଣ ଦାୟୀ ବୋଲି ମନ୍ତବ୍ୟ ଦେଇଥିଲେ । କିନ୍ତୁ ଏସବିଆଇ ରିପୋର୍ଟରେ ଏପ୍ରକାର ମନ୍ତବ୍ୟକୁ ଏକପ୍ରକାର ଖଣ୍ଡନ କରାଯାଇଛି । ଦେଶର ଜିଡିପି ଅଭିବୃଦ୍ଧି କ୍ରମାଗତଭାବେ ଷଷ୍ଠ ତ୍ରୈମାସ ପାଇଁ ତଳକୁ ଖସିଛି । ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି କେବଳ ୫.୭ ପ୍ରତିଶତକୁ ଖସି ଆସିନାହିଁ, ଗତ ୩ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଉଚ୍ଚସ୍ତରକୁ ନେବା ପାଇଁ ହେଲେ ସରକାରଙ୍କ ପାଖରେ ସମାଧାନର ସୂତ୍ର ହେଲା ଅଧିକ ବ୍ୟୟ କରିବା । ଋଣରେ କୌଣସି ଏପଟସେପଟ ନକରି ସରକାରଙ୍କୁ ସଚେତନ ଭାବେ ଅଧିକ ବ୍ୟୟ କରିବା ସହିତ ବିତ୍ତୀୟ ନିଅଣ୍ଟକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି । ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୦.୫ ପ୍ରତିଶତ କୋହଳ କରିବା ପାଇଁ ବିତ୍ତୀୟ ଶୃଙ୍ଖଳା ଏବଂ ବଜେଟ ପରିଚାଳନା ଆଇନରେ ରହିଥିବା ଧାରାକୁ ବ୍ୟବହାର କରିବା ଲାଗି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ସରକାର ଏପ୍ରକାର ପଦକ୍ଷେପ ନେଲେ ତାହାକୁ ରେଟିଂ ଏଜେନ୍ସି ଗୁଡ଼ିକ ବିତ୍ତୀୟ ଅପବ୍ୟୟ କୁହାଯାଉଥିଲା । ସରକାର ଏପ୍ରକାର ନୀତି ଆପଣାଇଲେ ଦେଶର ରେଟିଂକୁ ଖସାଇ ଦିଆଯିବ ବୋଲି ମଧ୍ୟ ଏଜେନ୍ସି ଗୁଡ଼ିକ ଧମକ ଦେଉଥିଲେ । ଏସବିଆଇ ଗବେଷଣା ରିପୋର୍ଟରେ ଏହା ସ୍ୱୀକାର କରାଯାଇଛି ଯେ, ୨୦୦୮ରେ ଦେଖାଦେଇଥିବା ବିଶ୍ୱ ମାନ୍ଦାବସ୍ଥା ଯୋଗୁଁ ସରକାର ଅଧିକ ବ୍ୟୟ କରୁଛନ୍ତି । ରେଟିଂ ଏଜେନ୍ସି ଗୁଡ଼ିକ ପ୍ରତି ଦେଶଗୁଡ଼ିକ ସେତେଟା ଧ୍ୟାନ ଦେଇ ନାହାନ୍ତି । ରେଟିଂରେ ଉନ୍ନତି ହେବା ପଛରେ ନପଡ଼ିବା କୁହାଯାଇଛି। ଗତ ୨୫ ବର୍ଷ ହେଲା ଭାରତର ନିଟ୍ ରେଟିଂରେ ଉନ୍ନତି ଆସିଛି ।

ତେବେ ଅଭିବୃଦ୍ଧିକୁ ଉପରକୁ ନେବାଲାଗି ଖର୍ଚ୍ଚ ରାଶି ବୃଦ୍ଧିର ତୁରନ୍ତ ଆବଶ୍ୟକତା ରହିଛି ବୋଳି ରିପୋର୍ଟରେ କୁହାଯାଇଛି । ସରକାର ଚଳିତ ବର୍ଷ ନିଟ୍ ଋଣକୁ ଯେଭଳି ୩.୪ ଟ୍ରିଲିଅନ ଟଙ୍କାରେ ରଖିବାକୁ ସ୍ଥିର କରିଛନ୍ତି ତାହା କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଉପାୟରେ ପାଣ୍ଠି ସଂଗ୍ରହ କରି ଖର୍ଚ୍ଚ କରିବାକୁ କୁହାଯାଇଛି। ଏତଦବ୍ୟତୀତ ସ୍ୱଳ୍ପମିଆଦୀ ଋଣ ଅଧିକ ପରିମାଣରେ କରିବା ଲାଗି କୁହାଯାଇଛି ।