ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବାଙ୍କ ବିଜେପିକୁ ଧମକ, ପିଡିପି ଭାଙ୍ଗିଲେ ଆହୁରି ସାଲାଉଦ୍ଦିନ ଜନ୍ମ ନେଇପାରନ୍ତି

46

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ର ମୁଖ୍ୟ ମେହେବୁବା ମୁଫତି କେନ୍ଦ୍ରସରକାରଙ୍କୁ ଚେତବନୀ ଦେଇ କହିଛନ୍ତି ଯେ, “ ଯଦି ସେମାନେ ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ଜାମ୍ମୁରେ ଅନେକ ସଲାଉଦ୍ଦିନ ଜନ୍ମ ନେବା ସହ ୯୦ ଦଶକରେ ଯେପରି ସ୍ଥିତି ହୋଇଥିଲା ସେପରି ହୋଇପାରେ” ବୋଲି ମେହେବୁବା କହିଛନ୍ତି । ମେହେବୁବା କହିଛନ୍ତି ଜାମ୍ମୁ-କାଶ୍ମୀରରେ ଯେତେବେଳେ ନିର୍ବାଚନ ହୋଇଥିଲା ସେତେବେଳେ ସମୟରେ ନିର୍ବାଚନରେ ବ୍ୟାପକ ଗଡବଡ ହୋଇଥିବା ଜଣାପଡିଥିଲା । କେବଳ ଏହି କାରଣ ପାଇଁ ସଲାଉଦ୍ଦିନ ଜନ୍ମ ନେଇଥିଲା । ଯଦି ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଦଳ ଭାଙ୍ଗିବାକୁ ଚେଷ୍ଟା କରନ୍ତି ତେବେ ୯୦ ଦଶକରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବର୍ତ୍ତମାନ ତାହାଠାରୁ ବି ଖରାପ ପରିସ୍ଥିତି ହୋଇପାରେ ବୋଲି ମେହେବୁବା କହିଛନ୍ତି ।

 

ମେହେବୁବାଙ୍କ ବୟାନପରେ ଜାମ୍ମୁର ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରେନା କହିଛନ୍ତି, “ଆମେ ମାନେ ସଂଘୀୟ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି । ତେବେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ଜମାବି ଠିକ୍ ନୁହେଁ । ବିଜେପି ପିଡିପିକୁ ଭାଙ୍ଗି ଜାମ୍ମୁରେ ସରକାର କରିବା ଲାଗି ଚେଷ୍ଟା କରୁନାହିଁ । ତେଣୁ ଅଯଥା ବିବାଦୀୟ ମନ୍ତବ୍ୟ ଦେବାର କୈାଣସି ଆବଶ୍ୟକତା ନାହିଁ ବୋଲି ରାନେ କହିଛନ୍ତି । ଆମ ଦଳ କେବଳ ଦେଶରେ କିପରି ଭାବରେ ସୁଶାସନ ଓ ବିକାଶ ହେବ ସେହି କଥା ଚିନ୍ତା କରୁଛି । ତେଣୁ ବିନା କୈାଣସି ପ୍ରମାଣରେ ଏପରି କହିବା ସମ୍ମିଚୀନ ନୁହେଁ” ବୋଲି ରାନେ କହିଛନ୍ତି । ପିଡିବି ଅନ୍ୟ ଦଳର ବିଧାୟକମାନଙ୍କୁ ନିଜ ଦଳକୁ ସମର୍ଥନ ଦେବା ସହ ସରକାର ଗଢିବାକୁ ସାହାର୍ଯ୍ୟ ମାଗୁଥିବା ନେଇ ଚର୍ଚ୍ଚା ହେଉଛି ।

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣକଥା ହେଲା ଯେ, ପିଡିପିର ୫ ଜଣ ବିଧାୟକ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଗଣମାଧ୍ୟମରେ ବୟାନ ଦେଉଥିବାର ମଧ୍ୟ ଦେଖାଯାଉଛି । ଏ ପଟେ ଇମରାମ ଅନସାରୀ ଦୁଇ ଦିନ ପୂର୍ବରୁ ଅନ୍ୟ ଏକ ମୋର୍ଚ୍ଚା ଗଠନ କରିବେ ବୋଲି କହିଛନ୍ତି । ତେବେ ସେ ଦଳ କରିବା ପୂର୍ବରୁ ପିଡିପି ନାଁରେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ସମୟରେ ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବା ଲାଗି କୈାଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ତେଣୁ ଗୋଟିଏ ଦଳ ଏକାକି ସେଠାରେ ସରକାର ଗଠନ କରିବା ଅସମ୍ଭବ । ମୋଟ ୮୭ ଆସନରୁ ପିଡିପି ପାଖରେ ୨୮, ବିଜେପି ପାଖରେ ୨୫ ରହିଛି । ତେବେ ଅନ୍ୟ ଦଳର ବିଧାୟକମାନେ ସମର୍ଥନ ଦେଲେ ଏହି ଦଳ ମଧ୍ୟରୁ କୈାଣସି ଏକ ଦଳ ସରକାର ଗଠନ କରିପାରନ୍ତି । ତେବେ ରାଜ୍ୟରେ ସରକାର କରିବାକୁ ହେଲେ ସର୍ବନିମ୍ନ ୪୪ ଟି ଆସନର ଆବଶ୍ୟକତା ରହିଛି । ଆଗକୁ ସାଧାରଣ ନିର୍ବାଚନ ମଧ୍ୟ ରହିଛି । ତେଣୁ ସମସ୍ତ ଦିଗକୁ ଦେଖି ଜାମ୍ମୁରେ କେଉଁ ଦଳ ଲୋକମାନଙ୍କ ବିଶ୍ୱାସ ଜିତିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।