ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଗିଡି ଯାଇଛି ସ୍ୱାସ୍ଥ୍ୟସେବା : ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଡାକ୍ତରଖାନା

29

କନକ ବ୍ୟୁରୋ : ଅସୁସ୍ଥ ଡାକ୍ତରଖାନା । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ବି ଲୋକଙ୍କ କାମରେ ଆସୁନି ଏମସିସିଏଚ୍ କୋଠା । ଏମିତି ଏକ ଡାକ୍ତରଖାନା ହେଉଛି ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବରେ ବିଗିଡି ଯାଇଛି । ଡାକ୍ତରଖାନାରେ ମାତ୍ର ତିନିଜଣ ଡାକ୍ତର ପାଳି କରି ଡାକ୍ତରଖାନା ଚଳାଉଥିବା ବେଳେ ରୋଗୀମାନେ ସଠିକ ଚିକିତ୍ସା ପାଉନଥିବା ଅଭିଯୋଗ ହୋଇଛି । ଧର୍ମଶାଳା ଅଂଚଳରେ ଗର୍ଭବତୀ ମହିଳା ଓ ନବଜାତକଙ୍କ ଉନ୍ନତ ଚିକିତ୍ସା ପାଇଁ ୬କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏମସିସିଏଚ୍ ଗୃହକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଏଣେ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଡାକ୍ତଖାନାର ।

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଳକର ୫୪ଟି ପଂଚାୟତର ହଜାର ହଜାର ଲୋକଙ୍କ ଭରସା ପାଲଟିଥିବା ଏଠାରେ ଖାଲିପଡିଛି ଗାଇନକଲୋଜି, ପେଡିଆଟ୍ରିକ ଓ ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପଦବି । ଯେଉଁ କେତେଜଣ ଡାକ୍ତର ଅଛନ୍ତି ସେମାନେ ଅଧିକାଂଶ ସମୟ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବାରୁ ଡାକ୍ତରଖାନାରୁ ରୋଗୀ ଚିକିତ୍ସା ନପାଇ ଫେରୁଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଧର୍ମଶାଳା ଡାକ୍ତରଖାନାର ଅଚଳାବସ୍ତା ଦୂର ନହେଲେ ନବନିର୍ମାଣ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଯାଜପୁର ସିଡିଏମଓ କହିଛନ୍ତି ଖୁବଶୀଘ୍ର ଏମସିସିଏଚ ଗୃହ ସଚଳ ହେବ ।

କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଧର୍ମଶାଳା ମେଡିକାଲର ଏମସିସିଏଚ ଗୃହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବା ପରେ କାର୍ଯ୍ୟକ୍ଷମ ନହେବା ଘଟଣା ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ଦର୍ଶାଉଛି ।