ଏଣିକି କାର ଚଢ଼ିବା ହେବ ମହଙ୍ଗା : ପଂଜୀକରଣ ଦେୟ ବଢ଼ାଇଲେ ରାଜ୍ୟ ସରକାର, ମହଙ୍ଗା ଗାଡ଼ି ପାଇଁ ଦେବାକୁ ପଡ଼ିବ ଅଧିକ ଟ୍ୟାକ୍ସ

44

କନକ ବ୍ୟୁରୋ : ଯେତେ ଲଗଜୁରିଅସ୍ କାର୍ ସେତେ ଅଧିକ ଦାମ୍ । ଯଦି ଆପଣଙ୍କ କାର ୧ ଲକ୍ଷରୁ ୫ଲକ୍ଷ ଟଙ୍କା ହୋଇଥିବ, ତେବେ ଆପଣଙ୍କୁ ଦେବାକୁ ପଡିବ ୧ ପ୍ରତିଶତ ଅଧିକ ଟାକ୍ସ । ୫ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥିଲେ ଅଧିକ ୩ ପ୍ରତିଶତ । ସେହିଭଳି ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ହୋଇଥିଲେ ୫ ପ୍ରତିଶତ ଅଧିକା ଟାକ୍ସ । ୨୦ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଗାଡିରେ ଆପଣଙ୍କୁ ଦେବାକୁ ପଡିବ ୧୨ ପ୍ରତିଶତ । ସେହିଭଳି ୪୦ ଲକ୍ଷରୁ ଅଧିକ ଟଙ୍କାର ବାଇକ ବା କାରରେ ୧୫ ପ୍ରତିଶତ ଅଧିକ ଟାକ୍ସ ଦେବାକୁ ପଡିବ ।

କାର ସେଗମେଂଟରେ ଅଲଟୋ କାର ଦାମ ପ୍ରାୟ ୪ଲକ୍ଷ ଟଙ୍କା । ପୂର୍ବରୁ ଟାକ୍ସ ଦେବାକୁ ପଡୁଥିଲା ୨୦ ହଜାର ଟଙ୍କା । ଏବେ ଦେବାକୁ ପଡିବ ୨୪ ହଜାର ଟଙ୍କା । ସେହିଭଳି ହୁଣ୍ଡାଇ ଆଇ ୨୦ର ଟପ୍ ମଡେଲ କାରର ବଜାର ଦର ହେଉଛି ପ୍ରାୟ ୧୦ଲକ୍ଷ ଟଙ୍କା । ପୂର୍ବରୁ ରେଜିଷ୍ଟ୍ରେସନ ଚାର୍ଜ ଦିଆଯାଉଥିଲା ୫୦ ହଜାର ଟଙ୍କା । ବର୍ତମାନ ଏହା ୩ ପ୍ରତିଶତ ବଢିବା ପରେ ଦେବାକୁ ପଡିବ ୮୦ ହଜାର ଟଙ୍କା ।

ମହିନ୍ଦ୍ରା ଏସ୍ୟୁଭି ଟପ ମଡେଲ କାରର ଦାମ ୧୭ ଲକ୍ଷ ଟଙ୍କା । ଆପଣକୁ ଟାକ୍ସ ଦେବାକୁ ପଡୁଥିଲା ୮୫ ହଜାର ଟଙ୍କା କିନ୍ତୁ ବର୍ତମାନ ଆପଣଙ୍କୁ ଗଣିବାକୁ ପଡିବ ୧ଲକ୍ଷ ୭୦ ହଜାର ଟଙ୍କା ।

ଏବେ ନଜର ପକାଇବା ବାଇକ୍ ମୂଲ୍ୟ ଉପରେ –
ରୟାଲ ଏନଫିଲ୍ଡ ବୁଲେଟ ବଜାର ଦର ହେଉଛି ପ୍ରାୟ ଦେଢ ଲକ୍ଷ ଟଙ୍କା । ପୂର୍ବରୁ ରେଜିଷ୍ଟ୍ରେସନ ଚାର୍ଜ ଦେବାକୁ ପଡୁଥିଲା ୫ ପ୍ରତିଶତ ଅର୍ଥାତ ୭ହଜାର ୫ ଶହ ଟଙ୍କା କିନ୍ତୁ ଏବେ ଆପଣଙ୍କୁ ଦେବାକୁ ପଡିବ ୯ ହଜାର ଟଙ୍କା । ସେହିଭଳି ସୁଜୁକି ହାୟାବୁସା ଗାଡିର ବଜାର ମୂଲ୍ୟ ହେଉଛି ୧୫ଲକ୍ଷ ଟଙ୍କା । ପୂର୍ବ ରେଜିଷ୍ଟ୍ରେସନ ଚାର୍ଜରେ ୭୫ହଜାର ଟଙ୍କା ଦେବାକୁ ପଡୁଥିଲା ବର୍ତମାନ ଦେବାକୁ ପଡିବ ଦେଢ ଲକ୍ଷ ଟଙ୍କା ।

କାର୍, ବାଇକ୍ ଉପରେ ରେଜିଷ୍ଟ୍ରେସନ ଟ୍ୟାକ୍ସକୁ ଗତ ନଭେମ୍ବର ୨୧ ତାରିଖରୁ ଲାଗୁ କରିଛନ୍ତି ସରକାର । ତେବେ ନୂଆ ଗାଡି କିଣିବାକୁ ଯାଉଥିବା ଗ୍ରାହକ ଏହି ନୂଆ ନିୟମ ବିଷୟରେ ଅବଗତ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବ୍ୟବସାୟୀଙ୍କ ପାଇଁ ବହୁ ମଧ୍ୟ ସମସ୍ୟା ଉପୁଜିଛି ।