ଶିକୁଳିରେ ବନ୍ଧା ଶୈଶବ । ପୁଅର ସୁରକ୍ଷା ପାଇଁ ରଶିରେ ବାନ୍ଧି ରଖିଛି ମାଆ

172

କନକ ବ୍ୟୁରୋ: ୧୦ ବର୍ଷ ପୁଅକୁ ରଶିରେ ବାନ୍ଧି ଘରେ ରଖିଛି ମାଆ । ରଶି ବାନ୍ଧିବା ବେଳେ ଛାତି କୋହରେ ଫାଟି ପଡୁଛି, ତଥାପି ମାନସିକ ବିକାରଗ୍ରସ୍ତ ପୁଅର ସୁରକ୍ଷା ପାଇଁ ଅଭାବି ପରିବାରର ମାଆ ପାଖରେ ଆଉ କିଛି ବିକଳ୍ପ ନାହିଁ । ପୁଅର ଚିକିତ୍ସା ପାଇଁ ନିଜର ସବୁ ସମ୍ବଳ ସାରିବା ପରେ ପଡୋଶୀ ଓ ଗ୍ରାମବାସୀଙ୍କ ସହାୟତା ବି ସରି ଯାଇଛି । ତେଣୁ ସେ ବାଧ୍ୟ ହୋଇ ନିଜର ମାନସିକ ବିକାରଗ୍ରସ୍ତ ପୁଅକୁ ଶିକୁଳିରେ ବାନ୍ଧି ରଖୁଛି ମାଆ । ପଢନ୍ତୁ ଜଗତସିଂହପୁରର ଏମିତି ଏକ ଦୁଃଖଦ କାହାଣୀ ..

 

ଏ କରୁଣ କାହାଣୀ ହେଉଛି ଜଗତସିଂହପୁର ବାଲିକୁଦା ବ୍ଲକ ବାଖରାବାଦ, ବନିତା ନାୟକଙ୍କର । ପୁଅ ଗୋଡରେ ବେଡି ପକାଇବା କେତେ ଯେ ଯନ୍ତ୍ରଣା ଦାୟକ, ବନିତାଙ୍କ ଲୁହ ହିଁ, ତାହା ବୟାନ କରୁଛି । ୧୦ ବର୍ଷର ପୁଅ ସମ୍ବିତ ଜନ୍ମର ୩ ବର୍ଷରୁ ମାନସିକ ବିକାରଗ୍ରସ୍ତ । ବୟସ ବଢିବା ସହ ମାନସିକ ସ୍ଥିତି ବିଗିଡିବାରୁ ସମ୍ବିତ୍ ନିଜକୁ ଆଘାତ ଦେବା ସହ ଘରର ଅନ୍ୟ ସଦସ୍ୟଙ୍କୁ କାମୁଡା କାମୁଡି କଲା । ତେଣୁ ତାକୁ ଏକ ରଶିରେ ବାନ୍ଧି ରଖିବାକୁ ବାଧ୍ୟ ହେଉଛନ୍ତି ମାଆ ।

ସମ୍ବିତଙ୍କ ବାପା ବାବାଜୀ ନାୟକ ଦିନ ମଜୁରିଆ ହୋଇଥିବା ନିଜର ସମସ୍ତ ସମ୍ବଳ ଖର୍ଚ କରି ପୁଅର ଚିକିତ୍ସା କରାଇଛନ୍ତି । ଆଗକୁ ଚିକିତ୍ସା ବାବଦକୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ଟଙ୍କା ଯୋଗାଡ କରିନପାରି ବାଧ୍ୟ ହୋଇ ପୁଅକୁ ଘରେ ବାନ୍ଧି ରଖିଛନ୍ତି । ସରକାରଙ୍କ ଶିଶୁ ଶୁରକ୍ଷା ଯୋଜାନରେ ସମ୍ବିତଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବକୁ ପରିବାର ନିବେଦନ କରିଛି । ସେପଟେ ଜଗତସିଂହପୁର ସିଡିଏମଓ କହିଛନ୍ତି, ସରକାରଙ୍କ ପକ୍ଷରୁ ସମ୍ବିତଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଯିବ । ତେବେ ସମ୍ବିତଙ୍କର ଚିକିତ୍ସା ପାଇଁ ସରକାର ସହାୟତା ଯୋଗାଇ ଦେଲେ ସମ୍ବିତ ବି ସୁସ୍ଥ ହୋଇ ଅନ୍ୟ ପିଲାଙ୍କ ଭଳି ଜୀବନଜାପନ କରିପାରନ୍ତା ।