ପ୍ରାଇଭେଟ୍ ଓ୍ଵାର୍ଡରେ ଜଗା । ଏବେବି ଭେଣ୍ଟିଲେଟରରେ ବଳିଆ । ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା

34

କନକ ବ୍ୟୁରୋ: ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଅଲଗା ହେବାପରେ ପ୍ରଥମେ ଜଗାକୁ ପ୍ରାଇଭେଟ୍ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ବଳିଆକୁ ସ୍ଥାନାନ୍ତରିତ କରାଯାଇଛି । ଏହାସତ୍ତ୍ୱେ ବଳିଆ ଏବେ ବି ଭେଣ୍ଟିଲେଟରରେ ରହିଛି । ଏମ୍ସ ଡାକ୍ତରୀଦଳ ଦ୍ୱାରା ଗତକାଲି ବଳିଆର ଟ୍ରାଚେଓଟୋମି କରାଯାଇଥିଲା । ତଣ୍ଟିରୁ ଶ୍ୱାସନଳୀ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଟ୍ରାଚେଓଟୋମି ଦ୍ୱାରା ଏକ ଯନ୍ତ୍ର ଖଞ୍ଜା ଯିବା ପରେ ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ଗତକାଲି ଏମ୍ସର ଡାକ୍ତରୀଦଳ ବଳିଆକୁ ଜଗା ରହୁଥିବା ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରିଛନ୍ତି । ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଗୋଟିଏ କ୍ୟାବିନରେ ବଳିଆକୁ ରଖାଯାଇଛି ।

ନଭେମ୍ବର ୪ ତାରିଖରେ ବଳିଆର ମୁଣ୍ଡରେ କରାଯାଇଥିବା ପ୍ଲାଷ୍ଟିକ ସର୍ଜରୀ ସଫା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ କ୍ଷତ ଶୋଧନ ପ୍ରକ୍ରିୟା ପରେ ଡାକ୍ତରମାନେ ବଳିଆର ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚର୍ମ ରୋପଣ କରିଥିଲେ । ଯେଉଁଥିପାଇଁ ଏମ୍ସର ଚର୍ମ ବ୍ୟାଙ୍କରୁ ଚର୍ମ ଅଣାଯାଇଥିଲା ତଥା ବଳିଆର ଉପରିଭାଗରେ ଥିବା ଅଦରକାରୀ ଅଶଂକୁ କାଢ଼ି ନିଆଯାଇଥିଲା ।

ଗତକାଲି ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବାପରେ ମଧ୍ୟ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ଚବିଶ ଘଣ୍ଟା ମନିଟରିଂ କରାଯିବ ବୋଲି ଏମ୍ସ ସୁତ୍ରରୁ ଜଣାପଡ଼ିଛି । ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ହୋଇପାରେ ବୋଲି ଡାକ୍ତରୀଦଳ ଆଶା ପ୍ରକଟ କରିଛନ୍ତି । ନିର୍ଦ୍ଧିଷ୍ଟ କେତେଦିନ ପର୍ଯ୍ୟନ୍ତ ବଳିଆ ଭେଣ୍ଟିଲେଟରରେ ରହିବ ତଥା ବିପଦ ମୁକ୍ତ ହେବ ଏନେଇ ଏମ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଗତକାଲି ପୂବାହ୍ନରେ ବାପା ଭୂୟାଁ କହଁର ବଳିଆକୁ ନ୍ୟୁରୋ ଆଇସିୟୁକୁ ଦେଖିବାପାଇଁ ଯାଇଥିଲେ ଏବଂ ବଳିଆ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ଫେରିବାପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଜଗାର ସ୍ୱାସ୍ଥାବସ୍ଥା ଲଗାତାର ସୁଧୁରିଥିବାର ଜଣାପଡ଼ିଛି । ଜଗା ଖାଇବା ପିଇବା ସହିତ ମାଆ ଓ ବାପାଙ୍କ ଉପସ୍ଥିତିରେ ଅତ୍ୟନ୍ତ ଖୁସିଥିବାର କୁହାଯାଉଛି ।