ସଂକ୍ରମଣରୁ ସୁରକ୍ଷା ପାଇଁ ଜଗାମୁଣ୍ଡରେ ଲାଗିଲା ସ୍ୱତନ୍ତ୍ର ହେଲମେଟ୍ : ଦୁଇ ଭାଇ ଜଗା ବଳିଆଙ୍କୁ ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ସୂଚନା

37

କନକ ବ୍ୟୁରୋ : ଜଗା ମୁଣ୍ଡରେ ପିନ୍ଧିଲା ହେଲମେଟ । ଏମ୍ସରେ ଚିକିତ୍ସାଧୀନ ଜଗାକୁ ସ୍ୱତନ୍ତ୍ର ହେଲମେଟ ପିନ୍ଧାଯାଇଛି । ଖପୁରିକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ନହେବା ପାଇଁ ଏହି ହାଲୁକା ହେଲମେଟ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି । ଅନ୍ୟପଟେ ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଡ଼ିସଚାର୍ଜ ନକରିବା ପାଇଁ ବରିଷ୍ଠ ଆଇନଜୀବୀ ତଥା ମାନବଧୀକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବଧିକାର କମିସନ ଓ ଅନୁସୂଚିତ ଜନଜାତି କମିସନଙ୍କୁ ନିବେଦନ କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଜଗା ବଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଗଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ଘଟିବାର ଆଶଙ୍କା ଅଛି । ସେମାନଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ଆବଶ୍ୟକ ଭିତିଭୂମି ଓ ସୁବିଧା ନାହିଁ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଅନ୍ୟପଟେ ଦୁଇ ଶିଶୁଙ୍କୁ ଡ଼ିସଚାର୍ଜ କରାଯିବା ପ୍ରକିୟା ଆରମ୍ଭ ହୋଇଥିବା ସୂଚନା ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ କଟକ ଏସବିର ୫ ଜଣିଆ ଡ଼ାକ୍ତରୀ ଦଳ ଆଜି ଦିଲ୍ଲୀ ଏମ୍ସ ଗସ୍ତ କରି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂର୍ପକରେ ଅନୁଧ୍ୟାନ କରିବେ । ସେମାନଙ୍କ ଡ଼ିସଚାର୍ଜ ସଂପର୍କିତ ତାରିଖ ମଧ୍ୟ ଧାର୍ଯ୍ୟ କରାଯିବାର ମଧ୍ୟ ଖବର ରହିଛି ।