ମୋବାଇଲ ପାଇଁ କାନ୍ଦିଲା ଜଗା

29

କନକ ବ୍ୟୁରୋ : ଏମ୍ସର ସାଧାରଣ ଓ୍ଵାର୍ଡର ୬୦୧୦ ନମ୍ବର ରୁମ୍‌ରେ ଚିକିତ୍ସିତ ହେଉଥିବା ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ଉନ୍ନତି ପରିଲକ୍ଷିତ ହୋଇଛି। ଅପରପକ୍ଷେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ୧୫ ଦିନ ପୂରି ଯାଇଥିଲେ ମଧ୍ୟ ବଳିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନ୍ୟୁରୋ ଆଇସିୟୁରେ ବଳିଆର ଚିକିତ୍ସା ଚାଲିଛି। ସେ ଏବେ ବି ସମ୍ପୂର୍ଣ୍ଣ ବିପଦମୁକ୍ତ ନଥିବାରୁ ଡାକ୍ତରୀଦଳ ତା’ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି। ତାକୁ ଆଜି ପାଇପ୍‌ ଦ୍ୱାରା କ୍ଷୀର ଦିଆଯାଇଛି। ଗତକାଲି ବଳିଆ ହାତଗୋଡ଼ ହଲାଇଥିଲା। କିନ୍ତୁ ଆଜି ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଜଗାର ଭୋକ ବଢ଼ାଇବା ଲାଗି ତାକୁ ସୁପ୍‌ ଦିଆଯାଉଛି। ନିୟମିତ ଭାବେ ତା’ ଖାଦ୍ୟ ପରିବର୍ତ୍ତନ କରାଯାଉଛି। ଜଗା ଆଜି ସକାଳ ଜଳଖିଆରେ ଡାଲିଆ ଖାଇଥିଲା। ମଧ୍ୟାହ୍ନରେ ଭାତ, ଡାଲି, ଅଣ୍ଡା ଖାଇଛି। ଜଗା ମା’ ହାତରୁ ଖାଇଲେ ବେଶୀ ଖୁସି ହେଉଛି। ଏମିତିକି ମା’ ସହ ଓ୍ଵାର୍ଡ ବାହାରକୁ ଯାଇ ବୁଲିବାକୁ ପସନ୍ଦ କରୁଛି। ଜଗା ଗୀତ ଶୁଣିବାକୁ ଭଲପାଉଥିବାରୁ ତାକୁ ମଝିରେ ମଝିରେ ମୋବାଇଲ ଫୋନ୍‌ ଦିଆଯାଉଛି। ଆଜି ମଧ୍ୟ ଜଗାକୁ କିଛି ସମୟ ପାଇଁ ମୋବାଇଲ୍‌ ଫୋନ୍‌ରେ ଗୀତ ଶୁଣାଯାଇଥିଲା। କିନ୍ତୁ ଏହା ପରେ ମୋବାଇଲ୍‌ ନେଇଯିବାରୁ ସେ ଅଭିମାନ କରିଥିଲା। କାନ୍ଦିଥିଲା। ଠାରରେ ଭାବ ପ୍ରକାଶ କରୁଥିବା ଜଗାକୁ ଆଜି ତାର ମା’ କିଛି ରାଇମ୍ସ ଶୁଣାଇଛନ୍ତି।