ପାରାଦୀପ ବନ୍ଦର ସମୁଦ୍ର ଗର୍ଭରେ ବୁଡି ବୁଡି ଯାଉଛି ଲୁହାପଥର ବୋଝେଇ ବ୍ଲାକରୋଜ୍ : ଜାହାଜ ଚଳାଚଳ ଓ ମତ୍ସ୍ୟଜୀବିଙ୍କ ପାଇଁ ବଢ଼ି ବଢ଼ି ଚାଲିଛି ବିପଦ

71

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡିବା ଘଟଣାକୁ ଏହା ଭିତରେ ୯ବର୍ଷ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ ଜାହାଜ ବୁଡିବା ଘଟଣା ରହସ୍ୟବୃତ ହୋଇରହିଛି । ଅନ୍ୟପଟେ ଜାହାଜକୁ ନେଇ ପୋର୍ଟରେ ବିପଦ ବଢ଼ିବଢ଼ି ଚାଲିଛି । ସମୁଦ୍ର ଭିତରକୁ ଯିବାକୁ ଭୟ କଲେଣି ମତ୍ସ୍ୟଜୀବି । ତେଣୁ ଏହାକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି ମତ୍ସ୍ୟଜୀବି ।

୨୦୦୯ ମସିହା ସେପ୍ଟେମ୍ବର ମାସ ୯ତାରିଖରେ ପାରାଦୀପ ପୋର୍ଟରେ ବୁଡିଯାଇଥିଲା ବ୍ଲାକରୋଜ ଜାହାଜ । ଏହା ଭିତରେ ଜାହାଜ ବୁଡି ଘଟଣାକୁ ୯ବର୍ଷ ବିତିଗଲାଣି । କିନ୍ତୁ ଏବେ ବିପଦ ଟଳିବା ବଦଳରେ ବଢ଼ିବାରେ ଲାଗିଛି । ଦିନକୁ ଜାହାଜ ସମୁଦ୍ର ବାଲିରେ ପୋତି ହୋଇ ହୋଇ ଚାଲିଛି । ପାଣି ଉପରକୁ ଜାହାଜର ଆଉ ମାତ୍ର କିଛି ଅଂଶ ଦେଖାଯାଉଛି । ଯାହା ଦ୍ୱାରା ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବିମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ତେଣୁ ଜାହାଜ ବୁଡିବା ସ୍ଥାନରେ ଲାଇଟର ବ୍ୟବସ୍ଥା କରିବା ସହ ତୁରନ୍ତ ହଟାଇବାକୁ ଦାବି କରିଛି ମତ୍ସ୍ୟଜୀବି ସଂଘ ।

ଜାହାଜ ମଧ୍ୟରେ ଥିବା ପ୍ରାୟ ୨୩ହଜାର ୫ଶହ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ଏବେ ବି ପାଣି ଭିତରେ ରହିଛି । ଯାହା ଜଳ ପ୍ରଦୂଷିତ କରିବା ସହ ଜଳଜୀବଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍ । ସେହିପରି ଭବିଷ୍ୟତରେ ପୋର୍ଟର ସମ୍ପ୍ରସାରଣ ଓ ଡିପ୍ ସିପ୍ ଚଳାଚଳ ବେଳେ ଏହା ବିପଦ ସୃଷ୍ଟି କରିବ ବୋଲି କହିଛନ୍ତି ବନ୍ଦର ଅଧ୍ୟକ୍ଷ ।

ସମୁଦ୍ର ଭିତରୁ ଜାହାଜକୁ ହଟା ନଗଲେ ପାରାଦୀପ ବନ୍ଦର ପ୍ରତି ଏକ ବଡ ବିପଦ ସୃ୍ଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଏହା ଉପରେ ରାଜ୍ୟ ସରକାର ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ପଦକ୍ଷେପ ନେବା ଜରୁରୀ ।