ପାଣି ପାରିହେଲେ ପାଠପଢା ପ୍ରସଙ୍ଗ : ଅସ୍ତରଙ୍ଗା ଚିତ୍ରେଶ୍ୱରୀ-ତେଲିକୁଦ ନଦୀବନ୍ଧ ରାସ୍ତା ନିର୍ମାଣକୁ ନେଇ ବ୍ଲକ୍ ପ୍ରଶାସନ ଓ ଜଳସମ୍ପଦ ବିଭାଗ ମୁହାଁମୁହିଁ

47

କନକ ବ୍ୟୁରୋ : କାକଟପୁର କାଦୁଆ ନଦୀ ପାଣି ଦେଇ ଛାତ୍ରଛାତ୍ରୀ ସ୍କୁଲ୍ ଯିବା ମାମଲାରେ ନୂଆ ମୋଡ଼ । ଏହି ଘଟଣା କନକ ନ୍ୟୁଜ୍ ପ୍ରସାରଣ କରିବା ପରେ ଚିତେଶ୍ୱର-ତେଲିକୁଦ ନଦୀବନ୍ଧ ରାସ୍ତା କାହାର ତାକୁ ନେଇ ବ୍ଲକ୍ ପ୍ରଶାସନ ଓ ଜଳସମ୍ପଦ ବିଭାଗ ମୁହାଁମୁହିଁ ହୋଇଛନ୍ତି । ଆଣ୍ଠୁଏ ପାଣିରେ ପିଲାମାନେ ସ୍କୁଲ ଯାଉଥିବା ବେଳେ ଦାୟିତ୍ୱ ଖସାଇବାକୁ ଦୁଇ ବିଭାଗ ପରସ୍ପର ଉପରେ ଦୋଷ ଲଦିଛନ୍ତି । କାକଟପୁର ବିଡ଼ିଓ ଏ ନେଇ ଜଳସମ୍ପଦ ବିଭାଗକୁ ଚିଠି ଲେଖିବା ପରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ରାସ୍ତା ନିର୍ମାଣ ଦାୟିତ୍ୱ ବ୍ଲକର ବୋଲି ଜଣାଇଛନ୍ତି । ଏହାପରେ ଚିତ୍ରେଶ୍ୱରୀ ସ୍କୁଲ ଛାତ୍ର ଛାତ୍ରୀ ଜଳସମ୍ପଦ ବିଭାଗ ଅଧୀକ୍ଷକଙ୍କୁ ଘେରି ନିଜ ଦାବି ରଖିଛନ୍ତି । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେବା ପରେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ପାଣି ଦେଇ ଛାତ୍ରଛାତ୍ରୀ ସ୍କୁଲ ଯିବା ଘଟଣା ପ୍ରଥମ କନକ ନ୍ୟୁଜ ପ୍ରସାରିତ କରିଥିଲା ।

ସୂଚନାଯୋଗ୍ୟ ନଦୀ ଭିତରେ ଘାଇ, ଆଉ ଘାଇ ମୁହଁରେ ପଶି ଅଂଟାଏ ଉଚ୍ଚର ପାଣି ପାର ହେଲେ ସ୍କୁଲ ଯାଆନ୍ତି କାକଟପୁର ଛାତ୍ରଛାତ୍ରୀ । ଆଉ କିଛି ବାଟ ନାହିଁ । ଦିନେ କି ଦୁଇ ଦିନ ନୁହଁ, ବର୍ଷ ତମାମ ଏଭଳି ସ୍ଥିତି । ଘାଇ ମୁହଁରେ ଅଂଟାଏ ପାଣିରେ ପଶି ସ୍କୁଲ ଯାଆନ୍ତ ଛାତ୍ରଛାତ୍ରୀ । ପାଣି ପାର ହେଲେ ପାଠପଢା । ସ୍କୁଲକୁ ଆଉ ରାସ୍ତା ନାହିଁ । ବର୍ଷା ଦିନେ କାଦୁଆ ନଦୀରେ ପାଣି ଉବୁଟୁବୁ । ଆଉ ତାରି ଭିତରେ ପଶି ନିଇତି ଯିବାକୁ ପଡିଥାଏ ସ୍କୁଲ୍ । ଟିକେ ଗୋଡ ଖସିଲେ କଥା ସରିଲା । ପ୍ରତିଦିନ ନଦୀ ପାର ହୋଇ ଚିତ୍ରେଶ୍ୱରୀ ମାଧ୍ୟମିକ ସ୍କୁଲକୁ ଆସନ୍ତି ତେଲିକୁଦ ଗାଁର ୬ଟି ୱାର୍ଡର ୫୦ରୁ ଅଧିକ ଛାତ୍ରଛାତ୍ରୀ । ଖରାଦିନେ ପାଣି କମ୍ ଥିବାରୁ କେମିତି କେମିତି କାମ ଚଳିଯାଏ । ହେଲ ବର୍ଷାଦିନେ ଅବସ୍ଥା ସାଂଘାତିକ । ନଦୀ ବନ୍ଧ ଖାଇଯାଇଥିବା ବେଳେ ଏବେ ତିନି ତିନିଟି ଘାଇ ସୃଷ୍ଟି ହୋଇଛି । ଯାହା ମଧ୍ୟ ଦେଇ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ପିଲାମାନେ । ତେବେ କନକ ନ୍ୟୁଜରେ ଖବର ପ୍ରକାଶ ପରେ ଏବେ ବ୍ଲକ୍ ପ୍ରଶାସନ ଓ ଜଳସମ୍ପଦ ବିଭାଗ ମୁହାଁମୁହିଁ ହୋଇଛନ୍ତି ।