ଅସନ୍ତୁଷ୍ଟ ସଂଗଠନକୁ ମନାଇବାକୁ ନବୀନଙ୍କ ନୂଆ ରଣନୀତି । ନିର୍ବାଚନ ପୂର୍ବରୁ ଗଠନ ହେଲା ୩ ଜଣିଆ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି । 

ବିଭିନ୍ନ ସଂସ୍ଥା ଓ ସଂଗଠନ ସମସ୍ୟାର ସମାଧାନ ପାଇଁ ଗଠନ ହେଲା ସରକାର ଓ ସଂଗଠନ ମଧ୍ୟରେ ସମ୍ମନ୍ୱୟ ରକ୍ଷା କରିବାକୁ ନବୀନଙ୍କ ପ୍ରୟାସ ।

373

କନକ ବ୍ୟୁରୋ: ବିଭିନ୍ନ ସଂସ୍ଥା ଓ ସଂଗଠନର ସମସ୍ୟାର ସମାଧାନ ପାଇଁ ଗଠନ ହେଲା ଅନ୍ତଃମନ୍ତ୍ରୀସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁକ୍ରମେ ଗଠନ ହେଲା ୩ ଜଣିଆ ଅନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି । ଏହି ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଦସ୍ୟ ରହିଛନ୍ତି ।

ସୂଚନା ମୁତାବକ ଏହି ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ରାଜ୍ୟର ବିଭିନ୍ନ ସଂଗଠନ ଯଥା, ପୋଲିସ ମହାସଂଘ, ଅଙ୍ଗନୱାଡି ସଂଗଠନ, ଚିଟଫଣ୍ଡ ଜମାକାରୀ ସଂଘ, କୃଷକ ସଂଗଠନ ଭଳି ବିଭିନ୍ନ ସଂଗଠନର ସମସ୍ୟା ଗୁଡ଼ିକ ବିଷୟରେ ତର୍ଜମା କରିବେ । ଏହା ସହ ବିଭିନ୍ନ ସଂସ୍ଥା ଓ ସଂଗଠନ ସହ ସମ୍ମନ୍ୱୟ ରକ୍ଷା କରି ସେମାନଙ୍କ ସମସ୍ୟା ଏବଂ ଦାବିକୁ ନେଇ ସମାଧାନର ବାଟ ବାହାର କରିବ ଏହି ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ।

ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଅସନ୍ତୁଷ୍ଟ ସଂଗଠନକୁ ସନ୍ତୁଷ୍ଟ ରଖି ସରକାର ଓ ସଂଗଠନ ମଧ୍ୟରେ ସମ୍ମନ୍ୱୟ ରଖିବା ପାଇଁ କାର୍ଡ ଖେଳିଛନ୍ତି ନବୀନ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୋଲିସ୍ ମହାସଂଘ ଏବଂ ଜମାକାରୀ ସଂଘ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ୱାଇବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତେବେ ବିଭିନ୍ନ ଆସୋସିଏସନ୍ ଏବଂ ସଂଗଠନର ଦାବି ପୂରଣ ନେଇ ତୁରନ୍ତ ନିଷ୍କର୍ଷ ବାହାର କରିବାକୁ ମୁଖ୍ୟମନ୍ତ୍ରୀ କମିଟି ଗଠନ କରିଛନ୍ତି ।