ତିନି ତଲାକ୍ ଦେଲେ ତିନିବର୍ଷ ଜେଲ ! ସରକାର ପ୍ରସ୍ତୁତ କଲେ ଚିଠା , ମତାମତ ପାଇଁ ଲୋଡ଼ା ଗଲା ରାଜ୍ୟଗୁଡ଼ିକର ମତାମତ

35

କନକ ବ୍ୟୁରୋ : ତିିନି ତଲାକ ଦେଲେ ୩ ବର୍ଷ ଜଲେଦଣ୍ଡ ଭୋଗିବାକୁ ପଡିବ । ଏ ନେଇ ସରକାର ଏକ ଚିଠା ପ୍ରସ୍ତୁତ କରିଛନ୍ତି । ମୁସଲିମ ମହିଳାଙ୍କ ବିବାହ ସୁରକ୍ଷା ଅଧିକାର ଆଇନ ସଂପର୍କିତ ଏହି ଚିଠା ଆଇନଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଚୁଡାନ୍ତ ହୋଇସାରିଥିବା ବେଳେ ସମସ୍ତ ରାଜ୍ୟର ସରକାରଙ୍କୁ ନିକଟକୁ ଏହା ପଠାଯାଇଛି ଏବଂ ଏ ବାବଦରେ ମତାମତ ଲୋଡାଯାଇଛି । ସଂସଦର ଆଗମୀ ଶୀତ ଅଧିବେଶନରେ ଏହି ଚିଠା ଆଇନକୁ ଉପସ୍ଥାପନ କରାଯିବା ଯୋଜନା ରହିଛି ।

triple talaqତତ୍କାଳ ତିନି ତଲାକ୍ ତଥା ତଲାକ ବେଆଇନ । ସଂସଦର ଉଭୟ ଗୃହରେ ଉକ୍ତ ଚିଠା ଆଇନ ଗୃହୀତ ହେବାପରେ ଏବଂ ରାଷ୍ଟ୍ରପତିଙ୍କ ସ୍ୱୀକୃତିକ୍ରମେ ଆଇନରେ ପରିଣତ ହେବ । ତେବେ ଏହି ଆଇନ ଜମ୍ମୁ କଶ୍ମୀର ରାଜ୍ୟ ପାଇଁ ଲାଗୁ ହେବନି । ଚିଠା ଆଇନଟିକୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ତତ୍ତ୍ୱାବଧାନରେ ଏକ ମନ୍ତ୍ରୀ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି । ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ରହିଥିବା ଜଣାଯାଇଛି ।

ପ୍ରସ୍ତାବିତ ଚିଠା ଆଇନ ଅନୁଯାୟୀ ତତ୍କାଳ ତିନି ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସରେ ଏଫଆଇଆର ଦାଏର କରି ଏବଂ ମାଜିଷ୍ଟ୍ରେଟଙ୍କୁ ଏ ସମ୍ପର୍କରେ ଅବଗତ କରାଇ ତାଙ୍କ ସ୍ୱାମୀଙ୍କଠାରୁ ଶିଶୁ ସହ ନିଜର ସମସ୍ତ ଭରଣାପୋଷଣ ଖର୍ଚ୍ଚ ପାଇପାରିବେ । ନୂତନ ଆଇନ ବଳରେ ଯେକୌଣସି ପ୍ରକାର ତିନି ତଲାକ ତଥା ଲିଖିତ, କଥିତ, ଇମେଲ, ଏସଏମଏସ ଓ ହ୍ଵାଟ୍ସଆପ୍ ପରି ବୈଦ୍ୟୁତିକ ଉପକରଣ ମାଧ୍ୟମରେ ତିନି ତଲାକ୍ ନିଷିଦ୍ଧ କରାଯିବ । ଗତ ଅଗଷ୍ଟ ମାସରେ ତିନି ତଲାକ୍ ବେଆଇନ ବୋଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସରକାର ତିନି ତଲାକ୍ ସଂକ୍ରାନ୍ତ ୬୭ଟି ଅଭିଯୋଗ ଗ୍ରହଣ କରିଥିବା ଜଣାଯାଇଛି । କେବଳ ୨୦୧୭ ମସିହାରେ ସରକାରଙ୍କ ନିକଟରେ ୧୭୭ରୁ ଊର୍ଦ୍ଧ୍ୱ ତତ୍କାଳ ତିିନି ତଲାକ ସଂକ୍ରାନ୍ତ ଅଭିଯୋଗ ହୋଇଥିବା ଜଣାଯାଇଛି ।