କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଆସିଲା ବଡ ଖବର । କମିଶନ କହିଲେ, ଘଟିନାହିଁ କୁନ୍ଦୁଲି ଘଟଣା, ସରକାର ଓ ପୋଲିସକୁ ଦେଲେ କ୍ଲିନଚିଟ୍

483

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ମିଛ । ବିଧାନସଭାରେ କୁନ୍ଦୁଲି ଗଣଦୁଷ୍କର୍ମ ତଦନ୍ତ ରିପୋର୍ଟ ଉପସ୍ଥାପନ ହେବା ପରେ ଏଭଳି ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ଦୀର୍ଘ ୨ ବର୍ଷ ଧରି ଯେଉଁ ଘଟଣାକୁ ନେଇ ରାଜ୍ୟ ସରକାର ଅଡୁଆ ସୂତା ଖିଅରେ ଛନ୍ଦି ହୋଇପଡିଥିଲେ ତାହା ମିଛ ବୋଲି ତଦନ୍ତ କରୁଥିବା କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହାସହ ରାଜ୍ୟ ସରକାର ଓ ପୋଲିସ ବିଭାଗକୁ କ୍ଲିନଚିଟ୍ ଦେଇଛନ୍ତି କମିଶନ ।

ଏହାସହ କୁନ୍ଦୁଲି ପୀଡିତାଙ୍କ ପରିବାର ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି କମିଶନ । ପୀଡିତାଙ୍କ ପରିବାର ଲୋକ ତଦନ୍ତରେ ସହଯୋଗ କରିନଥିବା କହିଛନ୍ତି କମିଶନ । କେବଳ ପୀଡିତାଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ ଆଣୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି କମିଶନ । ତେବେ ଏହି ଘଟଣାକୁ ଗଣମାଧ୍ୟମ, ନେତା ଓ ରାଜନୈତିକ ଦଳ ଅତିରଞ୍ଜିତ କରିଥିବା କହିଛନ୍ତି କମିଶନ ।

kunduli-caseସବୁଠୁ ବଡ କଥା ହେଲା, କୁନ୍ଦୁଲି ଝିଅ ମିଛ ଅଭିଯୋଗ ଆଣିଥିବା କମିଶନ ସ୍ପଷ୍ଟ କରିଛନ୍ତି । କେଉଁ କାରଣରୁ କୁନ୍ଦୁଲି ପୀଡିତା ମିଛ ଅଭିଯୋଗ ଆଣିଥିଲେ ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି । କୁନ୍ଦୁଲି ଘଟଣା ଘଟିନାହିଁ କି କୁନ୍ଦୁଲି ପୀଡିତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇନାହିଁ । ତେଣୁ କୁନ୍ଦୁଲି ଝିଅର ଅଭିଯୋଗ ଆଧାରରେ କାହାକୁ ଦାୟୀ କରାଯାଇପାରିବ ନାହିଁ ବୋଲି କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

କମିଶନଙ୍କ ସୁପାରିଶ ଅନୁଯାୟୀ ଅଧିକ ତଦନ୍ତ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତଦନ୍ତ ସମୟରେ ଆଇନ ଅନୁଯାୟୀ ପୀଡିତାଙ୍କ ପରିଚୟ ଗୋପନ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତର ଅଗ୍ରଗତି ସଂପର୍କରେ, ବିଶେଷ କରି ଦୁଷ୍କର୍ମ ସଂପର୍କୀତ କୌଣସି ସୂଚନା ଗଣମାଧ୍ୟମକୁ ନଦେବା ଲାଗି କୁହାଯାଇଛି । ତେବେ କୁନ୍ଦୁଲି ଛକରେ ଥିବା ପୀଡିତାଙ୍କ ପ୍ରତିମୂର୍ତିକୁ ହଟାଇବା ଲାଗି କମିଶନଙ୍କ ସୁପାରିଶକୁ ଗ୍ରହଣ କରିନାହାନ୍ତି ସରକାର । କୋରାପୁଟର ପଟାଙ୍ଗୀ ଥାନା ଅଂଚଳରେ ହୋଇଥିବା ନାବାଳିକା ଅପହରଣ, ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ୨୦୧୮ ଫେବ୍ରୁଆରୀ ମାସରେ ତଦନ୍ତ କମିଶନ ବସାଇଥିଲେ ସରକାର । ଗତବର୍ଷ ସେପ୍ଟେମ୍ବର ମାସରେ ସରକାରଙ୍କୁ କମିଶନ ରିପୋର୍ଟ ଦେଇଥିଲେ ।

ଗତ ଅକ୍ଟୋବର ୧୦, ୨୦୧୭ରେ କୁନ୍ଦୁଲି ପିଡୀତା ଜଙ୍ଗଲ ବାଟ ଦେଇ ଫେରିବା ବେଳେ ୪ ଜଣ ବିଏସଏଫ କୋବ୍ରା ବାହିନୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏସବୁ ଭିତରେ ଜାନୁଆରୀ ୨୨, ୨୦୧୯ରେ ଜୀବନ ହାରିଥିଲେ କୁନ୍ଦୁଲି ପୀଡିତା ।