ଆମେରିକା-ଇରାନ ପରେ ଚୀନ୍-ଇଣ୍ଡୋନେସିଆ ମଧ୍ୟରେ ଦେଖାଦେଲା ଉତ୍ତେଜନା । ଦ୍ୱୀପରେ ଯୁଦ୍ଧ ଜାହାଜ ମୁତୟନ କଲା ଇଣ୍ଡୋନେସିଆ ।

607

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିବା ବେଳେ ଏବେ ଚୀନ୍-ଇଣ୍ଡୋନେସିଆ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଇଣ୍ଡୋନେସିଆ ନତୁନା ଦ୍ୱୀପାଞ୍ଚଳକୁ ନିଜର ଯୁଦ୍ଧ ଜାହାଜ ଓ ବିମାନ ପଠାଇଛି । ମିଳିଥିବା ରିପୋର୍ଟ ମୁତାବକ, ଦକ୍ଷିଣ ଚୀନ୍ ସାଗରରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ନତୁନା ଦ୍ୱୀପାଞ୍ଚଳରେ ଯୁଦ୍ଧ ବିମାନ ଓ ଜାହାଜ ମୁତୟନ କରିଛି ଇଣ୍ଡୋନେସିଆ । ଏପରିକି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡେ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ତେବେ ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ଇଣ୍ଡୋନେସିଆ ସେନା ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଜୋକୋ କହିଛନ୍ତି, ଏହି ଦ୍ୱୀପ ଉପରେ କେବଳ ଇଣ୍ଡୋନେସିଆର ଅଧିକାର ରହିଛି ।

ଏହି ବିବାଦୀୟ କ୍ଷେତ୍ରରେ କିଛି ଦିନ ପୂର୍ବେ ଚୀନର ଯୁଦ୍ଧ ଜାହାଜ ପ୍ରବେଶ କରିଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦକ୍ଷିଣ ଚୀନ ସାଗରରେ ଚୀନ ଏକଚାଟିଆ ଭାବେ ନିଜର ଅଧିକାର ଜାହିର କରୁଛି । ଅର୍ନ୍ତଜାତୀୟ ବ୍ୟବସାୟ ପାଇଁ ଏହି ମାର୍ଗ ବ୍ୟବହାର କରାଯାଉଥିବାରୁ ଚୀନ୍ ଏହା ଉପରେ ନଜର ପକାଇଛି । ତେବେ ଇଣ୍ଡୋନେସିଆ ଓ ଭିଏତନାମ ଦେଇ ଦକ୍ଷିଣ ଚୀନ ସାଗର ଯାଇଥିବାରୁ ଏହାକୁ ବିବାଦୀୟ ସ୍ଥାନ କୁହାଯାଉଛି । ଇଣ୍ଡୋନେସିଆ ଛଡା ଚୀନ୍, ଫିଲିପାଇନ୍ସ, ଭିଏତନାମ, ମାଲେସିଆ, ତାଇୱାନ ଓ ବ୍ରୁନେଇ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛନ୍ତି ।

ଏହି ଅଞ୍ଚଳରେ ଚାରି ବର୍ଷ ପୂର୍ବେ ଚୀନ୍ ଏଣ୍ଟ୍ରି ମାରିଥିଲା । ପରେ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଖୁବ କମ ଦିନ ମଧ୍ୟରେ ଚୀନ ଏଠାରେ ବନ୍ଦର ଓ ଉଡାଜାହାଜ ଓହ୍ଲାଇବା ପାଇଁ ରନୱେ ନିର୍ମାଣ କରିଥିଲା । ଆଉ ଚାହୁଁ ଚାହୁଁ ଦକ୍ଷିଣ ଚୀନ୍ ସାଗରରେ ଏକ କୁତ୍ରିମ ଦ୍ୱୀପ ତିଆରି କରି ଏହାକୁ ସାମରିକ ଘାଟି ବନାଇଥିଲା । ଦକ୍ଷିଣ ଚୀନ୍ ସାଗରରେ ଚୀନର ଏଭଳି ଏକଚାଟିଆ ନୀତିକୁ ନେଇ ସେବେଠାରୁ ଆରମ୍ଭ ହୋଇଛି ବିବାଦ ।