ମହାକାଶରେ ଭାରତର ମହାବଳୀ ! ଇସ୍ରୋ ରଚିଲା ଇତିହାସ,ଅନ୍ତରୀକ୍ଷକୁ ପଠାଇଲା ବିଶାଳ ସାଟେଲାଇଟ୍ ଜିସାଟ୍ ୧୯

34

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଇତିହାସ ରଚିଛି ଭାରତ । ଯୋଗଯୋଗ ଉପଗ୍ରହ କ୍ଷେତ୍ରରେ ସ୍ଥାପନ ହୋଇଛି ଏକ ମାଇଲ ଖୁଂଟ । ମହାକାଶକୁ ଯାତ୍ରା କରିଛି ଭାରତୀୟ ଉପଗ୍ରହ ଜିସାଟ୍ ୧୯  । କିଛି ସମୟ ପୂର୍ବରୁ ସଂଧ୍ୟା ୫ଟା ୨୮ ମିନିଟରେ ଶ୍ରୀହରିକୋଟାର ୨ ନମ୍ବର ଲଂଚପ୍ୟାଡରୁ ଜିଏସ୍ ଏଲଭି୩ ଡି ୧ ରକେଟ୍ ମାଧ୍ୟମରେ ଜିସାଟକୁ ମହକାଶକୁ ପଠାଯାଇଛି ।

ଜିସାଟ୍ ୧୯ ଉପଗ୍ରହ ମହାକାଶରେ ସ୍ଥାନ ପାଇବା ପରେ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବ । ସବୁ ଅଂଚଳରେ ଉପଲବ୍ଧ ହେବ ହାଇ ସ୍ପିଡ ଇଂଟରନେଟ ସେବା । ଏମିିତିକି ଉପାନ୍ତ ଓ ଅପହଂଚ ଇଲାକାରେ ବି କାମ କରିବ ମୋବାଇଲ ନେଟୱର୍କ । ଏହି ଉପଗ୍ରହରେ କୁ-କା ବଣ୍ଡ ଥିବାରୁ ଟେଲିଭିଜନ ପ୍ରସାରଣ ପାଇଁ ମଧ୍ୟ ଉଚ୍ଚ ସିଗନାଲ ମିଳିବ । ଏହା ସହ ସହଜ ହେବ ଲାଇଭ ଟେଲିକାଷ୍ଟ ବା କୌଣସି ଘଟଣାର ସିଧା ପ୍ରସାରଣ ।

ଏହି ସାଟେଲାଇଟରେ ହିଟ୍ ପାଇପ୍, ଫାଇବର ଅପଟିକ୍ ଗାଇରୋ, ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ ସିଷ୍ଟମ ଓ ଲିଥିୟମ ବ୍ୟାଟେରିର ବ୍ୟବହାର ହେବ । ଯାହା ଉପଗ୍ରହର ଦକ୍ଷତା ବୃଦ୍ଧି କରିବା ସହ ବିକିରଣକୁ ସହ୍ୟ କରିବାର କ୍ଷମତା ରଖିବ । ପୂର୍ବରୁ ଭାରତ ଜିସାଟ୍ ୬, ୭, ୮, ୧୦, ୧୨, ୧୪, ୧୫ ଓ ୧୬ ମହାକାଶକୁ ପ୍ରେରଣ କରିଛି । ଆଉ ଏବେ  ସବୁଠୁ ଅତ୍ୟାଧୁନିକ ଜିସାଟ୍ ୧୯ ଯୋଗାଯୋଗ ଉପଗ୍ରହ ମହାକାଶରେ ସ୍ଥାନ ପାଇବା ପାଇଁ ଯାତ୍ରା ଆରମ୍ଭ କରି ସାରିଛି । ୨ଶହ ହାତୀର ଓଜନ ହେଉଛି ଏହି ଉପଗ୍ରହ । ଆଉ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ନିଜ ସେବା ପ୍ରଦାନ କରିବ ଜିସାଟ୍ ୧୯ ।