ସମ୍ବଲପୁର ଜେଲରଙ୍କ ଆଲମିରାରୁ ୧୮ ଲକ୍ଷ ଟଙ୍କା ମିଳିବା ପ୍ରସଙ୍ଗ : ତଦନ୍ତ ପାଇଁ ୨ ଡିଆଇଜିଙ୍କୁ ଦାୟିତ୍ୱ, ୪୮ ଘଂଟାରେ ଦେବେ ରିପୋର୍ଟ

30

କନକ ବ୍ୟୁରୋ : ସୁଶାନ୍ତ ରାଉତ୍ । ସମ୍ବଲପୁର ମଣ୍ଡଳ କାରାଗାରର ଜେଲର । ପୁଲିସର ଅଦିନିଆ ରେଡରେ ପଦାକୁ ଆସିଲା ଜେଲରଙ୍କ ଅସଲ ଚେହେରା । ଜେଲରଙ୍କ ଆଲମାରିରୁ ବାହାରିଲା ଗଦା ଗଦା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ରେଡ୍ ବେଳେ, ପୁଲିସ ପାଇଲା ୧୮ଲକ୍ଷ ଟଙ୍କା । ହେଲେ ସବୁଠୁ ବଡକଥା ହେଲା ଏହି ଲକ୍ଷପତି ଜେଲର କିନ୍ତୁ ଟଙ୍କାର ହିସାବ ଦେଇପାରୁ ନାହାଁନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଜଣେ ଜେଲର କେମିତି ବନିଲେ ଲକ୍ଷପତି ? ଜେଲ୍þ ଆଲମାରିକୁ କେଉଁଠୁ ଆସିଲା ପୁଳା ପୁଳା ଟଙ୍କା ? ଏହି ସବୁ ଟଙ୍କା ଚାନ୍ଦା ଆକାରରେ ଆସିନି ତ ? ଜେଲରେ ରହୁଥିବା ହାର୍ଡକୋର ଅପରାଧୀଙ୍କ ଠାରୁ ଏହି ଟଙ୍କା ଆଦାୟ କରାଯାଇନି ତ ? ଜେଲକୁ ଜଗିଥିବା ଜେଲର ଏହି ଟଙ୍କା ବଦଳରେ କାହାକୁ କି ପ୍ରକାରର ଅନୁକମ୍ପା ଦେଖାଇଛନ୍ତି ? ଏସବୁର ତଦନ୍ତ ପାଇଁ ୨ ଜଣ ଡିଆଇଜିଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି । ୪୮ ଘଂଟା ଭିତରେ ରିପୋର୍ଟ ଦାଖଲ କରିବାକୁ ଜେଲ୍ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ଜେଲ ଭିତରେ କଣ ସବୁ କାରବାର ହୁଏ, ସେନେଇ କିଛିଦିନ ପୂର୍ବରୁ କନକ ନ୍ୟୁଜକୁ ସୂଚନା ଦେଇଥିଲେ ଜେଲରେ ଅଭିଯୁକ୍ତ ଭାବେ ଦିନ କଟାଇଥିବା ରଞ୍ଜନ ଦାସ । ଏହାର କିଛିଦିନ ପରେ, ରାଜ୍ୟର ବିଭିନ୍ନ ଜେଲ୍ ଉପରେ ରେଡ୍ କରାଯାଇଥିଲା । ଆଉ ଏବେ ଧୀରେ ଧୀରେ ଏହାର ଗୁମର ଖୋଲିବାରେ ଲାଗିଛି ।