ସିନିୟରଙ୍କ ପରେ ଜୁନିୟର କଲେ କମାଲ୍ । ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ମାତ୍ ଦେଇ ଚାମ୍ପିୟନ ହେଲା ଭାରତ

40

କନକ ବ୍ୟୁରୋ : ସିନିୟରଙ୍କ ପରେ ଜୁନିୟର କଲେ କମାଲ । ଅଣ୍ଡର-୧୯ ଏସିଆ କପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚମକିଲା ଟିମ୍ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୧୪୪ ରନରେ ହରାଇ ଏସିଆ କପ ଟାଇଟଲ ହାସଲ କରିଛି ଭାରତୀୟ ଜୁନିୟର ଟିମ୍ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତ ୬ଷ୍ଠ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ପୂର୍ବରୁ ୪ଥର ଭାରତ ସିଧାସଳଖ ବିଜେତା ହୋଇଥିବା ବେଳେ ଗୋଟିଏ ଥର ମ୍ୟାଚ ଟାଇ ହେବା ଫଳରେ ଉଭୟ ଭାରତ ଓ ପାକିସ୍ତାନକୁ ବିଜେତା ଘୋଷିତ କରାଯାଇଥିଲା ।

ବାଂଲାଦେଶର ସେର ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ଆଉ ଅଧିନାୟକଙ୍କ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବ୍ୟାଟସମ୍ୟାନ । ଚାରୋଟି ଅର୍ଦ୍ଧଶତକ ବଳରେ ୩୦୪ ରନ କରିଥିଲା ଭାରତ । ଭାରତ ପକ୍ଷରୁ ୱାଇ ଜୟସ୍ୱାଲ ସର୍ବାଧିକ ୮୫ ରନ କରିଥିବା ବେଳେ ଅନୁଜ, ଅଧିନାୟକ ପ୍ରଭସିମରନ , ଆୟୁଷ ବଦୋନି ଯଥାକ୍ରମେ ୫୭, ୬୫ ଓ ୫୨ ରନ କରିଥିଲେ ।

୩୦୫ ରନର କଷ୍ଟସାଧ୍ୟ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମର ବ୍ୟାଟସମତ୍ନ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ସାମ୍ନାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସର୍ମପଣ କରିଥିଲେ । ମାତ୍ର ୧୬୦ ରନରେ ଅଲଆଉଟ ହୋଇଥିଲା ପୂରା ଶ୍ରୀଲଙ୍କା ଟିମ୍ । ଆଉ ଏହାସହ ଏତିକି ୧୪୪ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ହାତେଇଥିଲା ୬ଷ୍ଠ ଏସିଆ କପ ଟାଇଟଲ । ଭାରତ ପକ୍ଷରୁ ହର୍ଷ ତ୍ୟାଗୀ ଘାତକ ବୋଲିଂ କରି ୬ ୱିକେଟ ନେବା ସହ ଟିମ ଇଣ୍ଡିଆକୁ ଦେଇଥିଲେ ଐତିହାସିକ ବିଜୟ ।