କୋହଲି ଓ ଧୋନିଙ୍କ ବିନା ଟ୍ରାଇ ସିରିଜ ଖେଳିବ ଟିମ୍ ଇଣ୍ଡିଆ ! ଅଧିନାୟକ ପଦ ସମ୍ଭାଳିବେ ରୋହିତ, ୧୫ ଜଣିଆ ଟିମରେ ନୂଆ ମୁହଁ ସାମିଲ

32

ଆସନ୍ତା ମାସ ମାର୍ଚ୍ଚ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ହେବାକୁ ଥିବା ତ୍ରୀରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଖେଳାଳିଙ୍କ ଚଳିତ ସିରିଜରୁ ବିଶ୍ରାମ ଦିଆଯାଇଛି । ସେହିଭଳି ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ଚାଇନମ୍ୟାନ କୁଳଦୀପ ଯାଦବଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ହିଁ ଅଧିନାୟକ ପଦ ସମ୍ଭାଳିବେ ବୋଲି ଜଣା ପଡିଛି ।

ଏହି ସିରିଜ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ଟିମରେ ଅନେକ ନୁଆ ଚେହେରା ସ୍ଥାନ ପାଇଛନ୍ତି । ଏହି ଟ୍ରାଇ ସିରିଜ ପାଇଁ ୱିକେଟ କିପର ଭାବେ ଦିନେଶ କାର୍ତ୍ତିକ ଓ ରିଷଭ ପନ୍ଥଙ୍କୁ ୧୫ ଜଣିଆ ଟିମରେ ସ୍ଥାନ ମିଳିଛି । ଗତକାଲି ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଏକ ଲମ୍ବା ଗସ୍ତ ଶେଷ ହେବା ପରେ ବିସିସିଆଇ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତି ନେଇଛି । କାରଣ ଆଗାମୀ ସିଜନରେ ଭାରତ ୩୦ ଦିନିକିଆ ସହ ୬୩ଟି ଅର୍ନ୍ତଜାତୀୟ ମ୍ୟାଚ ଖେଳିବାକୁ ଯାଉଛି । ଏହାସହ ଆଗାମୀ ବର୍ଷ ମଧ୍ୟ ବିଶ୍ୱକପ ଖେଳିବ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ବରିଷ୍ଠ ଖେଳାଳିଙ୍କ ଫିଟନେସ ଉପରେ ଅଧିକ ପ୍ରାଥମିକତା ଦେଉଛି ।

ଘୋଷିତ ଭାରତୀୟ ଟିମ୍ :
ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, କେ.ଏଲ ରାହୁଲ, ସୁରେଶ ରୈନା, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ, ଦୀପକ ହୁଡା, ୱାସିଙ୍ଗଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ,ବିଜୟ ଶଙ୍କର, ସାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକତ, ମହମ୍ମଦ ସିରାଜ, ରିଷଭ ପନ୍ଥ