ସମୁଦ୍ରଯୋଦ୍ଧାର ପୁଣିଥରେ ଶକ୍ତିପ୍ରଦର୍ଶନ ! ମଝି ଦରିଆରେ ନୌସେନାର ବଡ଼ଧରଣର ଅଭ୍ୟାସ

31

କନକ ବ୍ୟୁରୋ: ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୂଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଉପସ୍ଥିତି ଯୋଗୁଁ ନୌବାହିନୀ ସବୁବେଳେ ସତର୍କ ହୋଇ ରହିଛି  । ବିଭିନ୍ନ କାରଣରୁ ସରକାର ମଧ୍ୟ ନୌବାହିନୀର ଶକ୍ତି ବୃଦ୍ଧି ଦିଗରେ ସବୁବେଳେ ଗୁରୁତ୍ୱ ଆରୋପ କରି ଆସିଛନ୍ତି  । ଆଜି ଗୋଆରେ ନୌସେନା ରେସକ୍ୟୁ ଅପରେସନର ଅଭ୍ୟାସ କରିଛି  । ଜରୁରୀ ସ୍ଥିତିରେ ଉଦ୍ଧାରକାର୍ଯ୍ୟ ସଠିକ ଭାବେ କରିବାକୁ ନୌସେନା କରିଛି ଅଭ୍ୟାସ  ।

ଗୋଆ ପାନାଜୀରେ ବଡ଼ଧରଣର ଅଭ୍ୟାସ ସହ ପୁଣିଥରେ ଶକ୍ତିପ୍ରଦର୍ଶନ କରିଛି ଭାରତୀୟ ନୌସେନା  । ନୌସୈନିକମାନଙ୍କର ବିପଜ୍ଜନକ ଦୁଃସାହସିକ କୌଶଳ ଓ ଉଦ୍ଧାରକାର୍ଯ୍ୟର ଅଭ୍ୟାସ କରାଯାଇଛି ମଝି ସମୁଦ୍ରରେ  । ଯୁଦ୍ଧତରୀ ଆଇଏନଏସ୍ କୋଚି ଓ ଏକାଧିକ ଲଢୁଆ ହେଲିକପ୍ଟର ଓ ବିମାନ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଏହାକୁ ଉଦଘାଟନ କରିଥିଲେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା  । ଏଥିରେ ଜରୁରୀ ସ୍ଥିତିରେ ଇଂଟରସେପ୍ଟର କ୍ରାଫ୍ଟର ବ୍ୟବହାର, ଗୋଟିଏ ଜାହାଜରୁ ଅନ୍ୟ ଏକ ଯୁଦ୍ଧ ଜାହାଜକୁ ଯବାନ ଓ ଯୁଦ୍ଧସାମଗ୍ରୀ ସ୍ଥାନାନ୍ତରଣର ଅଭ୍ୟାସ କରାଯାଇଥିଲା  ।

ମଝି ସମୁଦ୍ରରେ ନୌସେନା କରିଛି ଉଚ୍ଚସ୍ତରୀୟ ଯୁଦ୍ଧପ୍ରସ୍ତୁତିର ଅଭ୍ୟାସ  । ଶତ୍ରୁ ବିନାଶ କରିବାର ଅଭେଦ୍ୟ ରଣନୀତି ମଧ୍ୟ ଏହି ଅଭ୍ୟାସର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ଜଣାପଡ଼ିଛି  । ଗୋଟିଏ ଜାହାଜରୁ ଅନ୍ୟ ଏକ ଜାହାଜ ସହ ସୈନିକ ସମ୍ପର୍କ, ସହଯୋଗ ବୃଦ୍ଧିର ଅଭ୍ୟାସ କରିଛି ନୌସେନା  । ଯାହା ଆଗକୁ ଯେକୌଣସି ଜରୁରୀ ସ୍ଥିତିରେ ନୌ ଯବାନମାନଙ୍କ ପାଇଁ ଉପଯୋଗୀ ହେବ  । ଏଥିସହ ବଢ଼ିଛି ନୌସେନାର ମନୋବଳ  ।

କିଛି ଦିନ ତଳେ ନୌସେନାକୁ ମିଳିଥିଲା ସବୁଠୁ ଆଧୁନିକ ଓ ଶକ୍ତିଶାଳୀ ବୁଡ଼ାଜାହାଜ ଆଇଏନ୍ଏସ୍ କାଲଭରୀ  । ଏହାପରେ ସ୍କର୍ପିୟନ ଶ୍ରେଣୀର ବୁଡାଜାହାଜ ଆଇଏନଏସ୍ ଖଣ୍ଡେରୀ ଓ କଂରଜ୍ ମଧ୍ୟ ନୌସେନାରେ ସାମିଲ ହେବେ  । ସେହିପରି ନୌସେନା ନିକଟରେ ଏବେ ରହିଛି ଅତ୍ୟାଧୁନିକ ଯୁଦ୍ଧତରୀ ଆଇଏନ୍ଏସ୍ ବିକ୍ରମାଦିତ୍ୟ, ବିରାଟ, କୋଲକାତା, ଦିଲ୍ଲୀ, ମହୀଶୂର ଓ ଆଇଏନଏସ୍ ମୁମ୍ବାଇ ଏକାଧିକ ଅତ୍ୟାଧୁନିକ ଯୁଦ୍ଧ ଜାହାଜ  । ଯୁଦ୍ଧସ୍ଥିତି ସୃଷ୍ଟି ହେଲେ ନୌସେନା ସାମୁଦ୍ରିକ ନେତୃତ୍ୱ ନେବା ଓ ଦେଶକୁ ବିଜୟୀ କରିବାକୁ ସମର୍ଥ ଏହା ପୁଣିଥରେ ପ୍ରମାଣିତ କରିଛି ଭାରତୀୟ ନୌସେନା  ।