ଟିମ୍ ଇଣ୍ଡିଆର ଦମଦାର ବିଜୟ ! ବେଙ୍ଗାଲୁରୁ ଟେଷ୍ଟରେ ୭୫ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ବିରାଟ ବାହିନୀ

24

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଦମଦାର ବିଜୟ । ବେଙ୍ଗାଲୁରୁ ଟେଷ୍ଟରେ ୭୫ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ବିରାଟ ବାହିନୀ । ଚତୁର୍ଥ ଦିନରେ ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଆଗରେ ଆଣ୍ଠେଇ ପଡିଛି କଙ୍ଗାରୁ ଦଳ । ଏହି ବିଜୟ ସହ ସିରିଜ ୧-୧ରେ ବରାବର କରିଛି ଭାରତ । ଉଭୟ ଇନିଙ୍ଗସରେ ଅର୍ଦ୍ଧଶତକ ହାସଲ କରିଥିବା ଲୋକେଶ ରାହୁଲ ହୋଇଛନ୍ତି ମ୍ୟାନ ଅଫ୍ ଦ ମ୍ୟାଚ୍ ।

ଚତୁର୍ଥ ଦିନରେ ସେତେଟା ଭଲ ଚଲି ନଥିଲା ଭାରତୀୟ ବ୍ୟାଟସମ୍ୟାନଙ୍କ ବ୍ୟାଟ । ଗତ ଦିନ ଅପରାଜିତ ଥିବା ଅଜିଙ୍କ୍ୟା ରାହାଣେ ଓ ଚେତେଶ୍ୱର ପୂଜାରା କିଛି ସମୟ ପାଇଁ କ୍ରିଚରେ ଜମି ଥିଲେ । ହେଲେ ଅର୍ଦ୍ଧଶତକ ହାସଲ କରି ରାହାଣେ ଆଉଟ ହେବା ପରେ ଶତକରୁ ବଂଚିତ ହୋଇ ଫେରି ଯାଇଥିଲେ ପୂଜାରା ବି ଫେରି ଯାଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ୱିକେଟ ପଡିବାରୁ ଭାରତୀୟ ଇନିଙ୍ଗସ୍ ୨୭୪ ରନରେ ସମାପ୍ତ ହୋଇଥିଲା । ୧୮୮ ରନର ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ଅଶ୍ୱିନଙ୍କ ଫିରକି ବୁଝି ପାରି ନଥିଲେ ।

ଅଷ୍ଟ୍ରେଲିଆର ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବି ଛୁଁଇ ପାରି ନଥିଲେ । ପୁରା ଟିମ୍ ୧୧୨ ରନରେ ଅଲଆଉଟ୍ ହୋଇଯାଇଥିଲା । ୪୧ ରନ୍ ଦେଇ ୬ଟି ଅଷ୍ଟ୍ରେଲିଆର ୱିକେଟ୍ ନେଇଥିଲେ ଅଶ୍ୱିନ୍ । ଏହି କ୍ରମରେ ଭାରତୀୟ ମାଟିରେ ଦୁଇ ଶହ ୱିକେଟ୍ କ୍ଲବରେ ବି ଅଶ୍ୱିନ୍ ସାମିଲ୍ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବଙ୍କୁ ଦୁଇଟି ୱିକେଟ ମିଳିଥିବାବେଳେ ଇଶାନ୍ତ ଶର୍ମା ଓ ଜାଡେଯା ଗୋଟାଏ ଲେଖାଏ ୱିକେଟ୍ ପାଇଛନ୍ତି ।

ଉଭୟ ଇନିଙ୍ଗସରେ ବେଙ୍ଗାଲରୁର ଟର୍ଣ୍ଣି ପିଚରେ ଭାରତର ଲୋକେଶ ରାହୁଲ ଯେପରି ଧର୍ଯ୍ୟ ଦେଖାଇ ଅର୍ଦ୍ଧଶତକ ହାସଲ କରିଥିଲେ, ତାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ମିଳିଥିଲା । ବର୍ତ୍ତମାନ ସିରିଜ ସମାନ ସ୍ଥିତିରେ ଥିବାବେଳେ ଆସନ୍ତ ୧୬ ତାରିଖରେ ରାଂଚିଠାରେ ତୃତୀୟ ଟେଷ୍ଟ ଖେଳାଯିବ ।