ପାକିସ୍ତାନଙ୍କୁ ମାତ୍ ଦେଲା ଭାରତ । ପୁରୁଷଙ୍କ ପରେ ଚମକିଲେ ମହିଳା ଟିମ୍

257

କନକ ବ୍ୟୁରୋ : ପୁରୁଷଙ୍କ ପରେ ଦମ ଦେଖାଇଲେ ଭାରତୀୟ ମହିଳା କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଆଇସିସି ମହିଳା ବିଶ୍ୱ ଟି-୨୦ରେ ପୁଣି ଥରେ ଚମକିଲା ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ମିତାଲି ରାଜଙ୍କ ଦମଦାର ୫୬ ରନର ଇନିଂସ ବଳରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ ।

ଟସ୍ ଜିତି ଭାରତୀୟ ମହିଳା ଦଳ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଯାହାକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଭାରତୀୟ ବୋଲର । ଭାରତୀୟ ବୋଲରଙ୍କ ସମ୍ମୁଖରେ ପାକିସ୍ତାନର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଁଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟସମ୍ୟାନ ବିସ୍ମହା ମାରୁଫ ଓ ନିଦା ଦାରଙ୍କ ଧୂଆଁଧାର ଇନିଂସ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା ।

୧୩୪ ରନର ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଗୋଟିଏ ଓଭର ପୂର୍ବରୁ ଏହି ମ୍ୟାଚକୁ ଜିତି ନେଇଥିଲା । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ ପ୍ରଥମରୁ ଧୈର୍ଯ୍ୟର ସହ ଖେଳିବା ସହ ଟିମ୍ ଇଣ୍ଡିଆକୁ ଦୃଢ ମୁଳଦୂଆ ଦେଇଥିଲେ । ପ୍ରଥମ ୱିକେଟରେ ମିତାଲି ରାଜ ଓ ସ୍ମୃତି ମାନ୍ଧନାଙ୍କ ମଧ୍ୟରେ ୭୩ ରନର ପାର୍ଟନରସିପ ହୋଇଥିଲା । ଯାହା ଟିମ୍ ଇଣ୍ଡିଆର ବିଜୟକୁ ଆହୁରି ସହଜ କରି ଦେଇଥିଲା । ଏହା ଭିତରେ ମିତାଲି ରାଜ ଅର୍ଦ୍ଧଶତକ ମଧ୍ୟ ହାସଲ କରି ନେଇଥିଲେ । ଶେଷ ଆଡକୁ ହରମନପ୍ରୀତ କୌର ଓ କ୍ରିଷ୍ଣାମୂତ୍ତି ଆକର୍ଷଣୀୟ ସଟ୍ ଖେଳି ଗୋଟିଏ ଓଭର ପୂର୍ବରୁ ଭାରତକୁ ଦେଇଥିଲେ ଦମଦାର ବିଜୟ । ଏହି ବିଜୟ ସହ ଭାରତ ଗ୍ରୁପର ଟପରେ ପହଞ୍ଚିଛି । ଏହା ପୂର୍ବରୁ ଆଜି ପୁରୁଷ କ୍ରିକେଟ ଟିମ୍ ମଧ୍ୟ ୱେଷ୍ଟଇଣ୍ଡିଜକୁ ହରାଇ ଟି-୨୦ ସିରିଜ କବଜା କରିଛି । ଯାହା କ୍ରିକେଟ ପ୍ରେମୀଙ୍କୁ ଡବଲ ଖୁସି ଦେଇଛି ।