ଋଷ ସହ ଏସ-୪୦୦ ମିସାଇଲ୍ ଚୁକ୍ତି ପାଇଁ ଖପ୍ପା ହେଲା ଆମେରିକା : ଭାରତକୁ ଧମକାଇଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପରିଣାମ ଭୋଗିବାକୁ ଦେଲେ ଚେତାବନୀ

32

କନକ ବ୍ୟୁରୋ : ଭାରତକୁ ଧମକାଇଲେ ଟ୍ରମ୍ପ । ଋଷ ସହ ଏସ-୪୦୦ ମିସାଇଲ୍ ଚୁକ୍ତି ପାଇଁ ଖପ୍ପା ହେଲା ଆମେରିକା । ଋଷ ସହ ଏସ-୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ଚୁକ୍ତି ନକରିବା ପାଇଁ ଭାରତକୁ ପୂର୍ବରୁ ଚେତାବନୀ ଦେଇ ଆସୁଥିବା ଆମେରିକା ଶେଷରେ ସିଧାସଳଖ ଭାରତକୁ ଆଖି ଦେଖାଇଛି । ଋଷ ସହ ଏସ-୪୦୦ ମିସାଇଲ୍ ଚୁକ୍ତି କରି ଭାରତକୁ ମହଙ୍ଗା ପଡିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଏହି ଚୁକ୍ତି କରି ଭାରତ ବହୁତ ବଡ ଭୁଲ କରିଛି । ଏହା ଆମେରିକାଜ୍ ଆଡଭର୍ସିଜ୍ ଥ୍ରୁ ସାଙ୍କସନ୍ସ ଆକ୍ଟ ବା କାଟ୍ସା’ର ଉଲ୍ଲଙ୍ଘନ । ତେଣୁ ଏହାର ପରିଣାମ ଭାରତକୁ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ଏହା ସହ ନଭେମ୍ବର ୪ ପରେ ଇରାନ୍ ଠାରୁ ତେଲ ଆମଦାନୀ ଜାରି ରଖିଥିବା ଦେଶଗୁଡିକୁ ମଧ୍ୟ ଆମେରିକାର ଅସନ୍ତୋଷର ସାମନା କରିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ ।

ତେଣୁ ଆମେରିକା ଏବେ କାଟସା ଉଲ୍ଲଙ୍ଘନ ଅଭିଯୋଗରେ ଭାରତ ଉପରେ କଟକଣା ଲଗାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । କିନ୍ତୁ ଡୋନାଲ୍ଟ ଟ୍ରମ୍ପ ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରିପାରନ୍ତି ବୋଲି ଆମେରିକାରେ ଅବସ୍ଥାପିତ ‘ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ’ ଆଶା ପ୍ରକଟ କରିଛି । କାରଣ ଟ୍ରମ୍ପ ଭାରତକୁ ଆମେରିକାର ପ୍ରତିରକ୍ଷା ସହଯୋଗୀ ବୋଲି ଭାବୁ ଥିବାରୁ କଟକଣା ଲଗାଇ ନପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଭାରତ ଉପରେ କଟକଣା କୋହଳ କରିବା ଅଧିକାର କେବଳ ଟ୍ରମ୍ପଙ୍କର ହିଁ ରହିଛି ।