ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ ! କିନ୍ତୁ ମ୍ୟାଚ ପୂର୍ବରୁ ବଡ଼ ପ୍ରତିଜ୍ଞା କଲେ କ୍ୟାପଟେନ ସାକିବ୍ ଅଲ୍ ହସନ୍

54

କ୍ରମାଗତ ତିନୋଟି ମ୍ୟାଚ ଜିତି ଦମଦାର ଫର୍ମରେ ଥିବା ଭାରତୀୟ ଦଳ ଏବଂ ଆକ୍ରମଣାତ୍ମକ ଢଙ୍ଗରେ ନଜର ଆସୁଥିବା ବାଲାଂଦେଶ ମଧ୍ୟରେ ନିଦହାସ ଟ୍ରଫି ଟି-ଟ୍ୱେଣ୍ଟି ତ୍ରିରଷ୍ଟ୍ରୀୟ ସିରିଜ୍ ର ଫାଇନାଲ ମୁକାବିଲା ଆସନ୍ତାକାଲି ଅନୁଷ୍ଠିତ ହେବ । ଭାରତୀୟ ଯୁବ ବାହିନୀ ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବା ପରେ ହ୍ୟାଟ୍ରିକ ବିଜୟ ହାସଲ କରିଛି । ସେପଟେ ବାଲାଂଦେଶ ଦୁଇଟି ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଠାରୁ ରୋମାଞ୍ଚକର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି କଲୋମ୍ବୋର ଆର. ପ୍ରେମାଦାସ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ ।

ଡ୍ରେସିଙ୍ଗ ରୁମ୍ ଭଙ୍ଗାଭଙ୍ଗି କରି ଅଡୁଆରେ ବାଲାଂଦେଶ :
ଗତକାଲି ଘରୋଇ ଶ୍ରୀଲଙ୍କା ଏବଂ ବାଲାଂଦେଶ ମଧ୍ୟରେ କର ବା ମର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଓଭରରୁ ୧୨ ରନ ସଂଗ୍ରହ କରି ମହମ୍ମଦଦୁଲ୍ଲା ବାଲାଂଦେଶ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ଏହା ପରେ ବାଲାଂଦେଶ ଆରମ୍ଭ କରିଥିଲା ସେଲିବ୍ରେସନ । ଦେହରୁ ଜର୍ସି କାଢିବା ସହ ନାଗିନ୍ ଡ୍ୟାନ୍ସରେ ମସଗୁଲ ହୋଇଯାଇଥିଲେ ବାଲାଂଦେଶୀ ଖେଳାଳୀ । ଆଉ ହଠାତ୍ ଦେଖା ଦେଇଥିଲା ଉଭୟ ଦଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କେବଳ ପଡିଆ ଭିତରେ ନୁହେଁ ବାଲାଂଦେଶୀ ଖେଳାଳୀ ମାନେ ଡ୍ରେସିଙ୍ଗ ରୁମରେ ମଧ୍ୟ ଆରମ୍ଭ କରିଦେଇଥିଲେ ଭଙ୍ଗାରୁଜା । ସେପଟେ ଡ୍ରେସିଙ୍ଗ ରୁମ୍ ଭଙ୍ଗାଭଙ୍ଗି ଘଟଣାକୁ ନେଇ ବାଲାଂଦେଶ ମ୍ୟାନେଜମେଣ୍ଟ ପକ୍ଷରୁ କ୍ଷତିପୂରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଆଇସିସି ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ମ୍ୟାଚ୍ ରେଫରି ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ସେପଟେ ଏଭଳି ଘଟଣାର ପୂନରାବୃତ୍ତି ହେବାକୁ ଦେବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ବାଲାଂଦେଶୀ ଅଧିନାୟକ ସକିବ୍ ଅଲ୍ ହସନ୍ । ମ୍ୟାଚ ଚାଲିଥିବା ସମୟରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଦଳ ପାଇଁ ଏହି ମ୍ୟାଚ ସେମିଫାଇନାଲ ସଦୃଶ ଥିଲା । ଯେଉଁଥିରେ ବାଲାଂଦେଶ ଶ୍ରୀଲଙ୍କା କୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ବାଲାଂଦେଶର ଫାଇନାଲ ଫାଇଟ ଭାରତ ସହ ହେବ ।

ମ୍ୟାଚ ଅଧାରୁ ନିଜ ଖେଳାଳୀଙ୍କୁ ପଡିଆରୁ ଫେରିଆସିବାକୁ କହିଲେ ସକିବ୍ :
ବାଲାଂଦେଶର ବ୍ୟାଟିଂ ଚାଲିଥିବା ବେଳେ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତି ରେ ରାଗିଯାଇଥିଲେ ଅଧିନାୟକ ସକିବ୍ ଅଲ୍ ହସନ୍ । ଏହି ଘଟଣା ମ୍ୟାଚର ଅନ୍ତିମ ଓଭରରେ ଘଟିଥିଲା । ଏପରିକି ସକିବ୍ ପାଭିଲିୟନରୁ ପଡିଆର ସୀମା ରେଖା ନିକଟକୁ ଚାଲିଆସିଥିଲେ । ପରେ ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରିଆସିବାକୁ ଇସାରା ଦେଇଥିଲେ । କିଛି ସମୟ ପରେ ସେ ନିଜ ନିଷ୍ପତ୍ତି ବଦଳାଇଥିଲେ । ପରେ ବାଲାଂଦେଶ ୨ ଓି୍ୱକେଟରେ ବିଜୟ ହାସଲ କରିବା ସହ ଫାଇନାଲକୁ ଏଣ୍ଟ୍ରି କରିଥିଲା ।