ଶୃଙ୍ଖଳା ବିଜୟ ସୁଯୋଗ ! ଆଜି ଇନ୍ଦୋରରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, କଙ୍ଗାରୁ ଦଳ ପାଇଁ କର ବା ମର ସ୍ଥିତି

42

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଇନ୍ଦୌର ଠାରେ ତୃତୀୟ ଦିନିକିଆ । ଚେନ୍ନାଇ ଓ କୋଲକାତାରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆ ପାଖରେ ଆଜି ସିରିଜ ବିଜୟୀ ହେବା ସୁଯୋଗ ରହିଛି । ମଧ୍ୟପ୍ରଦେଶର ବଡ ସହର ଇନ୍ଦୌରର ହୋଲକର ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ ମିନିଟରେ ମୁକାବିଲା ହେବ । ଇନ୍ଦୌର ଦିନିକିଆ ଜିତିରେ ଟିମ ଇଣ୍ଡିଆ ୨ଟି ରେକର୍ଡ ହାସଲ କରିବ । ଗୋଟିଏ ହେଉଛି କଙ୍ଗାରୁ ଦଳ ବିପକ୍ଷରେ ହ୍ୟାଟ୍ରିକ ବିଜୟ ଓ ଅନ୍ୟଟି ହେଉଛି ସିରିଜ ବିଜୟ ।

ସେପଟେ ୦-୨ରେ ସିରିଜ ପଛୁଆ ଥିବା ଅଷ୍ଟ୍ରେଲିଆ ଦଳ ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ୍ୟ । ଏହି ମ୍ୟାଚ ଜିତିରେ କଙ୍ଗାରୁ ଦଳ ସିରିଜକୁ ପ୍ରତ୍ୟାବର୍ତ୍ତନ କରିପାରିବ । ନହେଲେ ସିରିଜ ବିଜୟ ସହ ଟିମ ଇଣ୍ଡିଆ ଶେଷ ୨ଟି ଦିନିକିଆ ଜିତି ସିରିଜ ମୂଳପୋଛ ଉପରେ ଆଖି ପକେଇବ । ହୋଲକର ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ବଡ ସ୍କୋରର ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେଣୁ ରୋହିତ ଶର୍ମା ବଡ ଇନିଂସ ଖେଳିବେ ବୋଲି ପ୍ରଶଂସକ ଦୃଢ ଆଶାପୋଷଣ କରୁଛନ୍ତି ।

ସେପଟେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ଆରୋନ ଫିନଚ ଇନ୍ଦୌର ମ୍ୟାଚ ଖେଳିବା ସମ୍ଭାବନା ରହିଛି । ସେ ପ୍ରଥମ ୨ଟି ମ୍ୟାଚ ଖେଳିନଥିବା ବେଳେ ଆଜି ଖେଳିଲେ ଅଷ୍ଟ୍ରେଲିଆର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ । ଏପଟେ ଭାରତୀୟ ଦଳ ମନୀଷ ପାଣ୍ଡେଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଖେଳାଇପାରେ । ଯଦି ତୃତୀୟ ଦିନିକିଆ ଟିମ ଇଣ୍ଡିଆ ବିଜୟୀ ହୁଏ, ତେବେ ଏହା ଲଗାତାର ଷଷ୍ଠ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବିଜୟ ହେବ । ଏହାପୂର୍ବରୁ ଭାରତ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ବିଦେଶରେ ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାକୁ ଦିନିକିଆ ସିରିଜରେ ପରାସ୍ତ କରିସାରିଛି ।

ଧୋନିଙ୍କ ସମକକ୍ଷ ହେବେ କୋହଲି

ଇନ୍ଦୋରରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହେଲେ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ ଆଉ ଏକ କୀର୍ତୀମାନର ଅଧିକାରୀ ହେବ । ଅଧିନାୟକ ଭାବେ ଲାଗାତାର ଦିନିକିଆ ଜିତିବାରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ସମକକ୍ଷ ହେବେ । ଫେବୃଆରୀ ୨୦୦୮ରୁ ଜାନୁଆରୀ ୨୦୦୯ ମଧ୍ୟରେ ଭାରତ ଲାଗାତର ୯ଟି ଦିନିକିଆ ଜିତିଥିଲା ଧୋନିଙ୍କ ନେତୃତ୍ୱରେ । ଏବେ କୋହଲିଙ୍କ ନେତୃତ୍ୱରେ ଭାରତ ଲଗାତାର ୮ଟି ଦିନିକିଆ ଜିତିସାରିଛି । ଆଜି ବିଜୟୀ ହେଲେ ଏହା ୯ରେ ପହଂଚିବ । କୋହଲି ୩୬ଟି ଦିନିକିଆରେ ନେତୃତ୍ୱ ନେଇଥିବାବେଳେ ଜିତିଛନ୍ତି ୨୯ଟି ମ୍ୟାଚ । ସେହିଭଳି ଆଉ ୪୧ ରନ କରିପାରିଲେ ସେ ଅଧିନାୟକଭାବେ ୨ ହଜାର ରନ ପୂରଣ କରିବେ । ଆଉ ଶତକ ଅର୍ଜନ କଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ୩୦ ଦିନିକିଆ ଶତକକୁ ଟପିଯିବେ ।