ମହିଳା ବିରୋଧୀ ହିଂସାରେ ୧ନମ୍ବର ସ୍ଥାନରେ ଭାରତ : ଆଫଗାନିସ୍ତାନ ଓ ସିରିଆଠାରୁ ବି ଭାରତରେ ଅଧିକ ଦୁଷ୍କର୍ମ

54

କନକ ବ୍ୟୁରୋ : ମହିଳାମାନଙ୍କ ପାଇଁ ସବୁଠୁ ବିପଦପୂର୍ଣ୍ଣ ଦେଶ ଭାରତ । ବିଶେଷ କରି ଦୁଷ୍କର୍ମ ଓ ଯୌନ ଶୋଷଣ ଦୃଷ୍ଟିରୁ ଆଗରେ ରହିଛି ଭାରତ । ମହିଳାଙ୍କ ଅଧିକାର ନେଇ ସାରା ବିଶ୍ୱରେ କାମ କରୁଥିବା ୫୫୦ ଜଣ ଏକ୍ସପର୍ଟଙ୍କ ମତ ଆଧାରରେ ଲଣ୍ଡନର ଏକ ସଂସ୍ଥାର ସର୍ଭେ ରିପୋର୍ଟ ଏମିତି କିଛି ଚାଂଚଲ୍ୟକର ରିପୋର୍ଟ ଦେଇଛି । ଆଫଗାନିସ୍ଥାନ ଏ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଯୁଦ୍ଧ ବିଧ୍ୱସ୍ତ ସିରିଆ ରହିଛି ତୃତୀୟରେ । ଚତୁର୍ଥରେ ସୋମାଲିଆ ଓ ପଂଚମରେ ସ୍ଥାନ ପାଇଛି ସାଉଦୀ ଆରବ । ଏକମାତ୍ର ୟୁରୋପୀୟ ଦେଶ ଭାବେ ଆମେରିକା ପ୍ରଥମ ୧୦ଟି ସ୍ଥାନ ଭିତରେ ରହିଛି । ସବୁଠୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଦେଶ ଆମେରିକା ସିରିଆ ସହ ତୃତୀୟରେ ରହିଛି । ୨୦୧୧ରେ ସଂସ୍ଥାର ସର୍ଭେରେ ଆଫଗାନିସ୍ଥାନ ପ୍ରଥମରେ ଥିବା ବେଳେ କଙ୍ଗୋ, ପାକିସ୍ତାନ, ଭାରତ ଓ ସୋମାଲିଆ ଦ୍ୱିତୀୟରୁ ପଂଚମ ସ୍ଥାନରେ ରହିଥିଲେ ।

ଗତ କିଛି ବର୍ଷ ଭିତରେ ଭାରତରେ ବୃଦ୍ଧି ପାଉଥିବା ଦୁଷ୍କର୍ମ, ହତ୍ୟା, ଯୌନ ଶୋଷଣ ଆଦି ମହିଳା ବିରୋଧୀ ହିଂସା ଦେଶକୁ ସବୁଠୁ ଅସୁରକ୍ଷିତ ସ୍ଥାନକୁ ନେଇଆସିଛି । ବିଶ୍ୱର ସବୁଠୁ ବର୍ଦ୍ଧିତ ଅର୍ଥନୀତି ଓ ବିକାଶଶୀଳ ଦେଶର ମହିଳା ସୁରକ୍ଷା କ୍ଷେତ୍ରରେ ସବୁଠୁ ପଛରେ ଥିବାରୁ ଚିନ୍ତା ପ୍ରକାଶ ପାଇଛି । ସରକାରୀ ତଥ୍ୟ କହୁଛି ୨୦୦୭ରୁ ୨୦୧୬ ଭିତରେ ଦେଶରେ ମହିଳା ବିରୋଧୀ ହିଂସା ୮୩ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି ଘଂଟାରେ ୪ ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି ।