ସର୍ବଦଳୀୟ ବୈଠକରେ ଆଭିମୁଖ୍ୟ ସ୍ପଷ୍ଟ କଲା ଓଡ଼ିଶା: ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ବିଜେଡିର ହଁ

ଦେଶ ଓ ଲୋକଙ୍କ ସ୍ବାର୍ଥରେ କେନ୍ଦ୍ର ସହ ରହିବ ବିଜେଡି

100

କନକ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୧୪ଟି ରାଜନୈତିକ ଦଳ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ସର୍ବଦଳୀୟ ବୈଠକରୁ ଦୂରେଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳିରେ ଏନଡିଏରେ ସାମିଲ ହେବା କଥା ଘୋଷଣା କରିନାହାନ୍ତି କି ବାହାରୁ ବି ସମର୍ଥନ କରିବେ ବୋଲି ସୂଚାଇ ନାହାନ୍ତି। ଅଥଚ ଗତକାଲି ନବୀନ ଏହି ସଭାରେ ଉପସ୍ଥିତ ରହି କେନ୍ଦ୍ର ପାଇଁ ଚିନ୍ତାର କାରଣ ସାଜିଥିବା କିଛି ପ୍ରସଙ୍ଗରେ ଯେଭଳି ଆଭିମୁଖ୍ୟ ପ୍ରକଟ କରିଛନ୍ତି, ସେଥିରୁ ରାଜନୈତିକ ମହଲ ଗନ୍ଧ ବାରିଲେଣି କି କେନ୍ଦ୍ର-ରାଜ୍ୟ ସଂପର୍କରେ ଇତିମଧ୍ୟରେ ଯଥେଷ୍ଟ ସୁଧାର ଆସିଛି। ନିର୍ବାଚନ ସମୟର ତିକ୍ତତା ଛାଡି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦୀ ଏ ଦିଗରେ କେଇ ପାଦ ଆଗକୁ ଯାଇଛନ୍ତି।

କେବଳ ସେତିକି ନୁହେଁ, ଗତକାଲି ନୂଆଦିଲ୍ଲୀ ସଂସଦ ଗ୍ରନ୍ଥାଳୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନବୀନ ସିଧା ସିଧା କହିଥିଲେ, ଦେଶର ସ୍ବାର୍ଥ ଓ ଲୋକଙ୍କ ପାଇଁ ଯାହା ଉପଯୁକ୍ତ ତାହାକୁ ବିଜେଡି ସମର୍ଥନ ଜଣାଇ ଆସିଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଏଥିସହିତ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦିଆ-ନିଆ ମନୋଭାବ ରହିବା ଉଚିତ୍ ବୋଲି ସେ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ। ବିକାଶକୁ ଏଜେଣ୍ଡା କରି ଉଭୟ ନବୀନ ଓ ମୋଦୀଙ୍କ ମିଳିତ ଗୋଟିଚାଳନା ଉଭୟ ଜାତୀୟ ଓ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଓଡ଼ିଶାର ସ୍ବାର୍ଥ ସହିତ ଯିଏ ରହିବ, ସିଏ ତାକୁ ସମର୍ଥନ କରିବେ। ସେହିପରି ‘ଫନି’ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ତତ୍କାଳ ଆସି ଯେଭଳି ୧୦୦୦ କୋଟିର ଆଗୁଆ ସହାୟତା ଘୋଷଣା କଲେ, ତାକୁ ନବୀନ ପ୍ରଶଂସା କରିବାକୁ ଭୁଲିନଥିଲେ।

ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସଙ୍ଗକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ସଂସଦ ଭବନ ସ୍ଥିତ ଗ୍ରନ୍ଥାଗାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏଭଳି ଚିନ୍ତାଧାରା ସମର୍ଥନ ପଛର କାରଣ ବି ଦର୍ଶାଇଥିଲେ। କହିଥିଲେ, ବାରମ୍ବାର ନିର୍ବାଚନ ହେବା କାରଣରୁ ଉତ୍ତମ ସହକାରୀ ସଂଘୀୟ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହେଉଛି। ବାରମ୍ବାର ନିର୍ବାଚନ ବିକାଶରେ ଅନ୍ତରାୟ ମଧ୍ୟ ସୃଷ୍ଟି କରୁଛି। ସମୁଦାୟ ୯ଟି ପ୍ରସଙ୍ଗରେ ନିଜ ମତ ରଖିବା ସହିତ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ସମ୍ପର୍କରେ ନିଜର ପୁରୁଣା ପରାମର୍ଶକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରାଯାଉ। ଏହାଦ୍ବାରା କେବଳ ଭାରତୀୟ ନୁହଁନ୍ତି, ବିଶ୍ବବାସୀ ତଥା ଭବିଷ୍ୟତ ପିଢି ଅହିଂସା ମଧ୍ୟରେ ଥିବା ଗହନ ସତ୍ୟକୁ ସ୍ମରଣ କରିପାରିବେ। ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇଥି ନବୀନ କହିଥିଲେ, ଦେଶର ଅଧା ଲୋକଙ୍କୁ ସଶକ୍ତ ନ କରି କୌଣସି ଦେଶ ବିକଶିତ ହୋଇନାହାନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ତାଙ୍କ ଦଳ ପୂର୍ଣ୍ଣ ସମର୍ଥନ ଜଣାଉଛି।

ଆକାଂକ୍ଷୀ ଜିଲ୍ଲା ପ୍ରସଙ୍ଗରେ ମତ ରଖି କହିଥିଲେ, କେନ୍ଦ୍ର ସରକାରଙ୍କୁ ଟେଲି ଡେନସିଟି, ବ୍ୟାଙ୍କିଙ୍ଗ୍ ନେଟୱାର୍କ ଓ ରେଳବାଇ ଭଳି ପ୍ରସଙ୍ଗଗୁଡ଼ିକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅତି ଛୋଟ ଛୋଟ କଥା ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦିଆଯାଇ କେନ୍ଦ୍ର ସରକାର ଏସବୁ ଦିଗରେ ରାଜ୍ୟକୁ ଅଧିକ ସହଯୋଗ ଯୋଗାଇ ଦେଲେ ଯାଇ ବିକାଶ ହୋଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ଅଧିଗ୍ରହଣ, ଜଙ୍ଗଲ ସଂରକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ଆଇନ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭୁଲିନଥିଲେ। ୨୦୧୩ ମସିହାର ଜମି ଅଧିଗ୍ରହଣ ଆଇନ ସଂପର୍କରେ ପ୍ରଥମେ ସୂଚାଇଥିଲେ। ନବୀନ କହିଥିଲେ, ଜମି ଅଧିଗ୍ରହଣ ଆଇନ ସମାଜର କଲ୍ୟାଣ ତଥା ଦେଶର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ ବା ଆଗେଇ ନେବା େକ୍ଷତ୍ରରେ କାର୍ଯ୍ୟ କରିବା ଉଚିତ। ବିଶେଷକରି ରେଳବାଇ ଓ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ୨୦୧୩ ଜମି ଅଧିଗ୍ରହଣ ଆଇନର ସମୀକ୍ଷାର ଆବଶ୍ୟକତା ପଡୁଛି। ସେହିଭଳି ପରିବେଶ ସୁରକ୍ଷା ଓ ଆର୍ଥିକ ଅଭିବୃଦ୍ଧି ଉଭୟ ପରିପୂରକ ହେବା ଦରକାର। କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ଆଇନର ପୁନଃବିଚାର କରନ୍ତୁ। ବୈଧାନିକ ଆବଶ୍ୟକତା ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟର ସାଧାରଣ ଉେଦ୍ୟାଗକୁ ମଧ୍ୟ ସମାନ ଭାବେ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।