ନିର୍ବାଚନ ତାରିଖ ଘୋଷଣା ହୋଇ ସାରିବା ପରେ ଏଣିକି ଆରମ୍ଭ ହେଲାଣି ରାଜନୈତିକ ବଳ କଷାକଷି । ରାଜସ୍ଥାନରେ ସରକାର କରିବା ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି

49

କନକ ବ୍ୟୁରୋ : ଗତକାଲି ନିର୍ବାଚନ କମିଶନ ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ବର୍ତମାନ ସମୟରେ ସମସ୍ତ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କିପରି ନେତାମାନେ ଭୋଟରମାନଙ୍କୁ ପ୍ରଭାବିତ କରିବେ ଓ ନିଜ ଦଳକୁ ବିଜୟ ସ୍ୱାଦ ଚଖାଇବେ ତାହା ପାଇଁ ଏବେ ସମସ୍ତେ ବ୍ୟସ୍ତ । ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ବର୍ତମାନ ସମୟରେ ୨୨ ଟି ରାଜ୍ୟରେ ଶାସନ କରୁଛନ୍ତି ଅର୍ଥାତ ବିଜେପି ସରକାର ଶାସନ କରୁଛି । ପୂର୍ବଥର ମଧ୍ୟ ରାଜସ୍ଥାନରେ ବିଜେପି ସରକାର କରିଥିଲା । ତେଣୁ ଚଳିତଥର ମଧ୍ୟ ସେଠାରେ ଶାସନ କରିବା ପାଇଁ ବିଜେପି ନିଜର ଋଣନୀତି ପ୍ରସ୍ତୁତ କରିଛି ।

 

କେବଳ ବିଜେପି ନୁହେଁ ବରଂ କଂଗ୍ରେସ ମଧ୍ୟ ବିଜେପିକୁ ପୁରା ଟକ୍କର ଦେବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କିପରି ଭାବରେ ନିର୍ବାଚନରେ ଦଳ ବିଜୟ ହେବେ ସେନେଇ ନେତାମାନେ ସମସ୍ତ କଳବଳ କୌଶଳ ଲଗାଇଛନ୍ତି । ଏହାରି ମଧ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ତେଣୁ ସମସ୍ତେ ପ୍ରସ୍ତୁତ । ନିର୍ବାଚନ କମିସନ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟରମାନଙ୍କୁ କିଭଳି ନିଜ ସପକ୍ଷରେ ଟାଣିବେସେଥିପାଇଁ ଦଳଗୁଡ଼ିକ ଯୋଜନା ଓ ରଣନୀତି ଆରମ୍ଭ କରିଦେଲେଣି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ମାତ୍ରେ ହିଁ ବଳ କଷାକଷି ଆରମ୍ଭ ହୋଇଯାଇଛି। ବିଶେଷକରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚିତ କରାଯାଉଛି। ଏଥିପାଇଁ ଦଳଗୁଡ଼ିକ ଜୋରଦାର ରଣନୀତି ସହ ମଇଦାନକୁ ଆସିବାକୁ ତୟାର ହେଉଛନ୍ତି।

 

ରାଜସ୍ଥାନରେ ଗତଥର ବିଜେପି ନିର୍ବାଚନ ଜିତି ଶାସନ କ୍ଷମତା ହାତକୁ ନେଇଥିଲା। କିନ୍ତୁ ଚଳିତଥର ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ନିର୍ବାଚନ ବିଗୁଲ ବଜାଇ ଭୋଟରମାନଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି। ରାଜସ୍ଥାନର ମୋଟ ୨୦୦ ବିଧାନସଭା ଆସନ ମଧ୍ୟରୁ ବିଜେପି ଗତଥର ୧୬୦ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ କଂଗ୍ରେସକୁ ୨୫ ଓ ଅନ୍ୟ ଦଳଗୁଡ଼ିକୁ ୧୫ ଆସନ ମିଳିଥିଲା।

 

ଛତିଶଗଡ଼ରେ ମଧ୍ୟ ଗତ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ହାସଲ କରିଥିଲା ଏବଂ ରମଣ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟଠାରୁ ଏଠାରେ ବିଜେପି କ୍ଷମତାରେ ରହିଛି। ଏଠାେର କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରହିଛି। ସେ ସମୟରେ ବିଜେପିକୁ ୪୯ ଓ କଂଗ୍ରେସକୁ ୩୯ ଆସନ ମିଳିଥିଲା। ତେଲେଙ୍ଗାନାର ଗତ ବିଧାନସଭା ନିର୍ବାଚନ ଆନ୍ଧ୍ର ପ୍ରଦେଶର ବିଧାନସଭା ଏବଂ ଦେଶର ଲୋକସଭା ନିର୍ବାଚନ ସହିତ ହୋଇଥିଲା। ଏହାର କିଛି ମାସ ପୂର୍ବରୁ ଆନ୍ଧ୍ର ଓ ତେଲେଙ୍ଗାନା ଅଲଗା ହୋଇଥିଲେ। ତେଲେଙ୍ଗାନାରେ ଟିଆରଏସ ଏକତରଫା ବିଜୟ ହାସଲ କରିଥିଲା ଏବଂ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

ଏଠାରେ କଂଗ୍ରେସର ସ୍ଥିତି ଦୁଇନମ୍ବର ରହିଥିବା ବେଳେ ଅସଉଦ୍ଦିନ୍ ଅୱେସିଙ୍କ ଦଳ ଏଆଇଏମ୍ଆଇଏମ୍ ମଧ୍ୟ ରହିଛି। ଏହାଛଡ଼ା ଏଠାରେ ଆନ୍ଧ୍ରର ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)କୁ ମଧ୍ୟ ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗତ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗି ଦେଇଥିଲେ। ଫଳରେ ଏଠାରେ ୯ ମାସ ପୂର୍ବରୁ ନିର୍ବାଚନ ହେବ। ଏଠାରେ ଟିଆରଏସ ବିରୋଧରେ କଂଗ୍ରେସ-ଟିଡିପି ମେଣ୍ଟ ଲଢ଼ିପାରେ ବୋଲି ଆଶା କରାଯାଉଛି। ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ହେଲା ବିଜେପି ସରକାର ଚାଲୁଛି। ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ କଂଗ୍ରେସର ଆଧିପତ୍ୟ ରହିଛି। ଯଦିଓ ଏଠାରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନ୍ଏଫ୍) ଦୁଇଥର ଶାସନ କରିଛି, ତଥାପି କଂଗ୍ରେସର ଅଧିକ କ୍ଷମତା ଏଠାରେ ରହିଛି। କିନ୍ତୁ ଏଥର ରାଜନୈତିକ ସମୀକରଣ ବଦଳିପାରେ ଏବଂ ବିଜେପିକୁ କିଛି ଫାଇଦା ମିଳିପାରେ ବୋଲି କୁହାଯାଉଛି। ଏଠାରେ ଅନ୍ୟ କୌଣସି ଦଳ କ୍ଷମତାକୁ ଆସିନାହାନ୍ତି।