ଠକି ପାରିବେନି ସରପଞ୍ଚ ! ଆପଣଙ୍କ ପଞ୍ଚାୟତକୁ ମିଳୁଛି କେତେ ଟଙ୍କା, କେଉଁଠି ହେଉଛି ଖର୍ଚ୍ଚ, ଜାଣନ୍ତୁ ଗୋଟିଏ କ୍ଲିକରେ

234

ଗାଁର ବିକାଶରେ ଦେଶର ବିକାଶ । ଏକଥା କେବଳ କାଗଜ କଲମରେ ହିଁ ସିମୀତ ରହୁଛି । ଗାଁର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନିଅନ୍ତି । କିନ୍ତୁ ସେହି ଯୋଜନାରେ ଆସୁଥିବା ଟଙ୍କା କିପରି ଖର୍ଚ୍ଚ ହୁଏ ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଏପରିକି କେଉଁ କାମ ପାଇଁ କେତେ ଟଙ୍କା ଆସିଥାଏ ତାହାର ଟିକିଏ ବି ସୂଚନା ଅଧିକାଂଶ ଗାଁ ଲୋକଙ୍କ ପାଖରେ ନଥାଏ । କିଛି ସ୍ୱାର୍ଥନିଷ୍ଠ ବ୍ୟକ୍ତି ଅଫିସରଙ୍କୁ ହାତ କରି ଗାଁର ବିକାଶ ପାଇଁ ଆସୁଥିବା ପଇସାକୁ ଚଳୁ କରୁଥିଲେ ମଧ୍ୟ ଏହା ଅଧିକାଂଶ ଲୋକ ଜାଣି ପାରି ନଥାନ୍ତି । କିନ୍ତୁ ଏବେ ଆଉ ଗୋଟିଏ କ୍ଲିକରେ ଗ୍ରାମ ପଞ୍ଚାୟତର କେଉଁ କାମ ପାଇଁ ଭାରତ ସରକାର କେତେ ଟଙ୍କା ଦେଉଛନ୍ତି ତାହା ଆପଣ ଜାଣିପାରିବେ । ଏପରିକି ଯୋଜନା ଅନୁଯାୟୀ କେତେ କାମ ହୋଇଛି ଓ କେତେ କାମ ବାକି ଅଛି ସେ ସବୁ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ପାଇପାରିବେ ।

ମୋବାଇଲରେ ଗୋଟିଏ କ୍ଲିକ କରି ଏହି ସବୁ ବିଷୟରେ ଜାଣି ପାରିବା ସହ ଯଦି କେଉଁ କାର୍ଯ୍ୟରେ ଅନିୟମିତତା ହେଉଥାଏ ତେବେ ଜନଶୁଣାଣୀ ସମୟରେ ମଧ୍ୟ ଅଭିଯୋଗ କରିପାରିବେ । ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ http://planningonline.gov.in/ReportData.do?ReportMethod=getAnnualPlanReport ଲିଙ୍କରେ କ୍ଲିକ କରିବାକୁ ପଡିବ । ଏହାଦ୍ୱାରା କିଛି ବିକଳ୍ପ ପ୍ରଥମେ ସୋ କରିବ ।

ଆର୍ଥିକ ବର୍ଷ : ଏହି ବିକଳ୍ପରେ ପ୍ରଥମେ କେଉଁ ଆର୍ଥିକ ବର୍ଷର ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତାହା ବାଛିବାକୁ ପଡିଥାଏ । ଉଦାହରଣ ସ୍ୱରୂପ ଯଦି ଚଳିତ ଆର୍ଥିକ ବର୍ଷର ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ୨୦୧୭-୧୮ ବିକଳ୍ପକୁ ବାଛିବାକୁ ହୋଇଥାଏ ।

ରାଜ୍ୟ : ଆର୍ଥିକ ବର୍ଷ ପରେ କେଉଁ ରାଜ୍ୟର ତଥ୍ୟ ଚାହୁଁଛନ୍ତି ତାହାକୁ ଦିଆଯାଇଥିବା ବିକଳ୍ପ ଉପରେ ଚୟନ କରନ୍ତୁ ।

ପ୍ଲାନ ୟୁନିଟ : ରାଜ୍ୟ ଚୟନ କରିବା ପରେ ସ୍କ୍ରିନ ଉପରେ ପ୍ଲାନ ୟୁନିଟର ଅପ୍ସନ ଆସିଥାଏ । ଏହି ତାଲିକାରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି କିମ୍ବା ଜିଲ୍ଲା ପରିଷଦ ବିକଳ୍ପ ମଧ୍ୟରୁ ଯାହା ଉପରେ ତଥ୍ୟ ଜାଣିବାକୁ ପଡିଥାଏ ତାହାକୁ ଚୟନ କରିବାକୁ ପଡିଥାଏ ।

ଜିଲ୍ଲା ପଞ୍ଚାୟତ : ଏହି ବିକଳ୍ପରେ କେଉଁ ଜିଲ୍ଲାର ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତାହାକୁ ଚୟନ କରିବାକୁ ପଡିଥାଏ । ଉଦାହରଣସ୍ୱରୂପ ଯଦି ଆପର କେନ୍ଦ୍ରପଡା ଜିଲ୍ଲାର କେଉଁ ଗ୍ରାମ ପଞ୍ଚାୟତ କଥା ଜାଣିବାକୁ ଚାହୁଁଥାନ୍ତି ତେବେ କେନ୍ଦ୍ରାପଡା ଜିଲ୍ଲା ଚୟନ କରିବାକୁ ପଡିବ ।

ବ୍ଲକ ପଞ୍ଚାୟତ : ଏହି ବିକଳ୍ପରେ କେଉଁ ବ୍ଲକ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହା ଦର୍ଶାଇବାକୁ ପଡିବ ।

ଗ୍ରାମ ପଞ୍ଚାୟତ : ଏହି ସୋପାନରେ କେଉଁ ଗ୍ରାମ ପଞ୍ଚାୟତ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହାର ତଥ୍ୟ ଦେବାକୁ ହୋଇଥାଏ । ସବୁ ବିକଳ୍ପ ଚୟନ କରିବା ପରେ Get Report ଉପରେ କ୍ଲିକ କରନ୍ତୁ । ଏହାପରେ ପୂରା ପଞ୍ଚାୟତ ପାଇଁ କେତେ ଟଙ୍କା ବଜେଟ ହୋଇଛି ତାହା ସ୍ପଷ୍ଟ ଆସିଯିବ । ଏପରିକି କେଉଁ କାମ ପାଇଁ କେତେ ଟଙ୍କା ବଜେଟ ହୋଇଛି ତାହା ମଧ୍ୟ ସ୍ପଷ୍ଟ ଉଲ୍ଲେଖ ଥିବ । ଯଦି ୱେବସାଇଟରେ କାମ ହୋଇଥବାର ଉଲ୍ଲେଖ ଥିବ ଓ ବାସ୍ତବରେ କାମ ହୋଇନଥିବ ତେବେ ଜନଶୁଣାଣୀ ସମୟରେ ଏନେଇ ଅଭିଯୋଗ କରିପାରିବେ ।