ରୁଦ୍ଧ କୋଠରୀରେ ୨୦ ମିନିଟ୍ । ୧୯ ପୂର୍ବର ଅଙ୍କକଷା କି ?

45

କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ମିନିଟର ଭେଟ ଓଡିଶା ରାଜନୀତିରେ ଗୁଂଜରଣ ସୃଷ୍ଟି କରିଛି । ଗତ କାଲି ଦିଲ୍ଲୀର ଜନକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟି ‘ଦା ଟଲ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ପ୍ରଦାନ କରିଛନ୍ତି ନବୀନ । ରାଜ୍ୟ ବିଜେପି କହିଛି ଏହି ସାକ୍ଷାତ କରି ନବୀନ ଦ୍ୱନ୍ଦ୍ୱରେ ପକାଇବାକୁ ଉଦ୍ୟମ କରୁଛନ୍ତି । ସେପଟେ ବିଜେଡି କହିଛି ବିଜେପି ଓ କଂଗ୍ରେସଠାରୁ ଦଳ ସମ ଦୂରତା ରକ୍ଷା ନୀତିରେ କାଏମ ଅଛି ।

naveenକୋଡିଏ ମିନିଟର ନବୀନ-ମୋଦି ସାକ୍ଷାତ୍ ରାଜ୍ୟ ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ଯେତେବେଳେ ବିଜେପୁର ନିର୍ବାଚନକୁ ନେଇ ବିଜେଡି, ବିଜେପି ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି ଏବଂ ପରସ୍ପର ଉପରକୁ ଜୋରଦାର ଆକ୍ରମଣ କରୁଛନ୍ତି ଠିକ୍ ସେହି ସମୟରେ ଏହି ଅଚାନକ ଭେଟ ରାଜନୀତିର ପାଣିକୁ ଆହୁରି ଗୋଳିଆ କରିଦେଇଛି । ବିଜେପୁର ପାଇଁ ବିଜେପି କର୍ମୀ ଓ ନେତା ଫୁଲ ଦମରେ ବିଜେଡି ବିରୋଧରେ ଲଢ଼ୁଥିବାବେଳେ ହଠାତ୍ ଦଳର ସର୍ବୋଚ୍ଚ ନେତା ମୋଦିଙ୍କ ସହ ନବୀନଙ୍କ ସାକ୍ଷାତ୍ ସେମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଦେବାର ଆଶଙ୍କା ରହିଛି । ବିଜେପି ଉପସଭାପତି ବୋଧହୁଏ ସେହି ଦୃଷ୍ଟିରୁ କହୁଛନ୍ତି ନବୀନ ଦ୍ୱନ୍ଦ୍ୱରେ ପକାଇବାକୁ ଉଦ୍ୟମ କରୁଛନ୍ତି ।

ନବୀନ ବୁଧବାର ଦିଲ୍ଲୀ ଗସ୍ତରେ ଯିବା ସମୟରେ ମୋଦିଙ୍କୁ ଭେଟିବା ପ୍ରସଙ୍ଗକୁ ଏଡାଇ ଯାଇଥିଲେ, ଏବଂ ବିଶ୍ୱ କପ୍ ହକିର ଉନ୍ମୋଚନ ଓ ବିଜେପୁର ନେଇ ମତାମତ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ନିଶ୍ଚୟ ଏକ ଆବଶ୍ୟକତା ଏବଂ ଅତି ସ୍ୱାଭାବିକ କଥା ମଧ୍ୟ । କିନ୍ତୁ ମୁଖ୍ୟମନ୍ତ୍ରୀ ପୋଲାଭରମ , ମହାନଦୀ , ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କିମ୍ବା ରାଜ୍ୟର ସମସ୍ୟା କିମ୍ବା ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ନାହାଁନ୍ତି । ତେଣୁ ଏହି ସମୟରେ ନବୀନ-ମୋଦି ସାକ୍ଷାତ୍ ରହସ୍ୟମୟ ଭଳି ମନେ ହେଉଛି ।

modiଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇ କୁହାଯାଇଛି ଟଲ୍ ମ୍ୟାନ୍ ପୁସ୍ତକ ଭେଟି ଦେବା ପରେ ମୋଦି ନବୀନଙ୍କୁ ତାଙ୍କର ୟୁନିକ ଜେଶ୍ଚର ଅର୍ଥାତ୍ ନିଆରା ଭାବଭଙ୍ଗି ପାଇଁ ଧନ୍ୟବାଦ ଦେଇଥିଲେ, ଏବଂ ପୁସ୍ତକଟି ଭବିଷ୍ୟତ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଓଡିଶାର ରାଜନୀତି ପାଣିପାଗ ବିଜେପୁର ନିର୍ବାଚନ ପରିପ୍ରେକ୍ଷୀରେ ସରଗରମ ଥିବାବେଳେ ନବୀନ ଓ ମୋଦିଙ୍କ ଭେଟଘାଟ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।