କମିଲା ଇଲିସି ଭାଉ ! ଅଢେଇ ହଜାରରୁ ଦର ଖସି ହେଲା ଦୁଇ ଶହ

50

କନକ ବ୍ୟୁରୋ: ଏବେ ମୁହାଣ ମୁହାଁ ଇଲିସି । କୁଇଁଂଟାଲ କୁଇଁଂଟାଇ ଇଲିସି ଧରୁଛନ୍ତି ମତ୍ସ୍ୟଜୀବି । ଫଳରେ ଖସିଛି ଇଲିସିର ଭାଉ । କିଲୋ ପିଛା ମାତ୍ର ୧୦୦ରୁ ୨୦୦ଟଙ୍କାରେ ବିକ୍ରି ହେଉଛି ଏହି ସୁଆଦିଆ ମାଛ । ଦର ଶସ୍ତା ହୋଇଥିବାରୁ ଇଲିସି କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଗତ ମାସେ ତଳେ କିଲେ ପ୍ରତି ଇଲିସି ଦର କିଲୋ ପିଛା ୨୫ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିଲା । ହେଲେ ଚଳିତ ମାସ ୧୫ ତାରିଖ ଠାରୁ ପୂର୍ବାଳି ବହୁ ଥିବାରୁ ଇଲିସି ଏବେ ସମୁଦ୍ରମୁହାଁ ହୋଇଛନ୍ତି ।

ମତ୍ସ୍ୟଜୀବୀମାନେ ମଧ୍ୟ ଟନ୍ ଟନ୍ ଇଲିସି ଧରିଥିବା ବେଳେ ଏବେ ସମସ୍ତଙ୍କ ପାଟିରେ ବାଜିଛି ଇଲିସିର ସ୍ୱାଦ । ଦର ଶସ୍ତା ହୋଇଥିବାରୁ ଇଲିସି ବଜାରରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ଼ । ତେବେ ଆଜି ସକାଳୁ ସକାଳୁ ଭଦ୍ରକ ଚାନ୍ଦବାଲି ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅଭାବନୀୟ ଘଟଣା । ବରଫ ଅଭାବରୁ ସାଇତି ରଖିନପାରି ପ୍ରଚୁର ମାଛକୁ ସମୁଦ୍ରରେ ଫିଙ୍ଗିଦେଇଛନ୍ତି ମତ୍ସ୍ୟଜୀବି ।

ଯାହାଦ୍ୱାରା ଏଣେତେଣେ ନଷ୍ଟ ହୋଇଯାଇଥିବା ମାଛ ପଡିଥିବାର ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ଇଲିସିକୁ କାଉ କୁକୁର ମଧ୍ୟ ଖାଉଥିବାର ଦେଖିବାକୁ ମିଳିଥିଲା । ଧାମରା ଅଂଚଳର ବିଦ୍ୟୁତ ସମସ୍ୟା ଯୋଗୁଁ ଆବଶ୍ୟକୀୟ ବରଫ ମିଳୁନି । ଫଳରେ ମତ୍ସ୍ୟଜୀବୀମାନେ ନଷ୍ଟ ହୋଇଯାଇଥିବା ମାଛକୁ ଫିଙ୍ଗିବାକୁ ବାଧ୍ୟ ହେଉଥିବା କହିଛନ୍ତି । ସମୁଦ୍ରରୁ ଧରିଥିବା ମାଛ ନଷ୍ଟ ହେଉଥିବାରୁ ବାଧ୍ୟ ହୋଇ ନଦୀରେ ଫିଙ୍ଗି ଦେଉଛନ୍ତି । ଏହି ସବୁ ସଢା ମାଛ ସୁଖୁଆ ପାଇଁ ଅଯୋଗ୍ୟ ହୋଇଥିବାରୁ ୫୦ ଓ ୭୦ ଟଙ୍କାରେ ମଧ୍ୟ ନିଲାମ ହେଉଥିବା ଖବର ସାମ୍ନାକୁ ଆସିଛି ।