ସରକାରୀ ଅଫିସରେ ମହଜୁଦ ବେସରକାରୀ ମାଲ ! ମାଲକାନଗିରିରେ ପଂଚାୟତ ଅଫିସକୁ କବଜା କରି କେନ୍ଦୁପତ୍ର ରଖୁଛନ୍ତି ବ୍ୟବସାୟୀ

34

କନକ ବ୍ୟୁରୋ : ସରକାରୀ ଗୋଦାମରେ ସାଇତା ହେଉଛି ବେସରକାରୀ ମାଲ । କେନ୍ଦୁପତ୍ର ଗୋଦାମ ପାଲଟିଛି ପଂଚାୟତ ଗୃହ । ମାଲକାନଗିରି ଜିଲ୍ଲାରେ ଏବେ କେନ୍ଦୁ ପତ୍ର ସଂଗ୍ରହ ଜାରି ରହି ଥିବା ବେଳେ ଠିକାଦାରମାନେ ଆସାଧୁ ଉପାୟରେ ସରକାରୀ ଗୃହ ଗୁଡିକ ହତେଇବାରେ ଲାଗିଛନ୍ତି । ହେଲେ ପରିତାପର ବିଷୟ ଏନେଇ କିନ୍ତୁ ବ୍ଲକ କିମ୍ବା ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ନିକଟରେ ଖବର ନାହିଁ ।

ଗ୍ରାମ ପଂଚାୟତ ଅଫିସରେ ଗଚ୍ଛିତ ବ୍ୟବସାୟୀଙ୍କ କେନ୍ଦୁପତ୍ର । ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ, ମହୁପଦର ଓ ଟେମୁରୁପାଲି ପଂଚାୟତରୁ ଏପରି ଖବର ଆସିଛଇ । ପଂଚାୟତ ଗୃହ ଓ ଗୋଦମ ଠାରୁ ଆରମ୍ଭ କରି ରାଜୀବ ଗାନ୍ଦି ସେବା କେନ୍ଦ୍ର, ସବୁଠି ମାଳ ମାଲ କେନ୍ଦୁପତ୍ର ବସ୍ତା । ଏବେ ମାଲକାନଗିରିରେ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପତ୍ର ସଂଗ୍ରହ ଜାରି ରହି ଥିବା ବେଳେ ଠିକାଦାର ଓ ବ୍ୟବସାୟୀମାନେ ପଂଚାୟତ ସ୍ତରୀୟ ଅଧିକାରୀଙ୍କୁ ସାଲିସ କରି ସରକାରୀ ପ୍ରତିଷ୍ଠାନକୁ କବଜା କରିଛନ୍ତି ।

ଧୁଙ୍ଗିଆପୁଟ, ଟେମୁରୁପାଲି, ମହୁପଦର ଗ୍ରାମପଂଚାୟତ ଗୃହକୁ ବ୍ୟବସାୟୀମାନେ ମାସ ମାସ ଧରି କବ୍ଜା କରିଥିବା ବେଳେ ସ୍ଥାନୀୟ ବି.ଡି.ଓ ଓ ପ୍ରଶାସନ ପାଖରେ ଖବର ନାହିଁ । ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ମାଥିଲି ବି.ଡି.ଓ ଓ ଉପ ଜିଲ୍ଲାପାଳ । ମାଲକାନଗିରିରେ ପ୍ରତିବର୍ଷ ୪ହାଜର ଟନରୁ ଅଧିକ ପରିମାଣର କେନ୍ଦୁପତ୍ର ସଂଗ୍ରହ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି ବେସରକାରୀ ସଂସ୍ଥା । ମୌସୁମୀ ଆସିବା ଆଗରୁ କେନ୍ଦୁପତ୍ର ଗୁଡିକୁ ଗଚ୍ଛିତ ରଖିବାକୁ ବିଦ୍ୟାଳୟ, ପଂଚାୟତ ଗୋଦାମ ଭଳି ସରକାରୀ ପ୍ରତିଷ୍ଠାନକୁ ଅସାଧୁ ଉପାୟରେ ହାତେଇ ଥାନ୍ତି ବ୍ୟବସାୟୀ ।