ଡାକ୍ତରଖାନା ସଫା କଲେ ଆଇଏଏସ୍ ଅଫିସର୍ ! ୨ ଘଂଟା ଯାଏଁ ଲଗାଇଲେ ଝାଡୁ – ପୋଛା

85

ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ପରେ ଅନେକ ସମୟରେ ଦେଖିବାକୁ ମିଳିଛି ସେଲିବ୍ରିଟି ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଝାଡୁ ଧରି ରାଜରାସ୍ତାକୁ ଓହ୍ଲାଇଥାନ୍ତି । ହେଲେ ସେମାନେ ସଫା କରିବା ମନୋଭାବ ନେଇ କିମ୍ବା ଲୋକପ୍ରିୟତା ପାଇଁ ଏସବୁ କରନ୍ତି ତାହା କହିବା ମୁସ୍କିଲ୍ । ତେବେ ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଜଣେ ଆଇଏଏସ୍ ଅଧିକାରୀ ନିଜେ ଡାକ୍ତରଖାନା ସଫା କରିଛନ୍ତି । ପ୍ରାୟ ୨ଘଂଟା ଧରି ଅପରିଷ୍କାର ଡାକ୍ତରଖାନାକୁ ସଫା କରିଛନ୍ତି ଆଇଏଏସ୍ ଅଫିସର୍ ସଲୋନୀ ସଡାନା । ତେବେ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବାପାଇଁ କିମ୍ବା ଲୋକପ୍ରିୟତା ପାଇଁ ଏସବୁ କରିନାହାଁନ୍ତି ସଲୋନୀ ।

saloniଘଟଣାଟି ଘଟିଥିଲା ଗତ ଶୁକ୍ରବାର ଦିନ । ଆଇଏଏସ୍ ସଲୋନୀ ଭିଣ୍ଡ୍ ଜିଲ୍ଲାରେ ଏଡିଏମ୍ ଅଛନ୍ତି । ଜିଲ୍ଲାଅଧିକାରୀ ସଲୋନୀଙ୍କୁ ହସ୍ପିଟାଲକୁ ସଫା ସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ସଲୋନୀ ହସ୍ପିଟାଲ୍ କର୍ମଚାରୀମାନଙ୍କୁ ଏନେଇ ଅବଗତ କରାଇଥିଲେ । କିନ୍ତୁ ବାରମ୍ବାର କହିବା ପରେ ମଧ୍ୟ ହସ୍ପିଟାଲ୍ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଉନଥିଲେ । ତେବେ ଶୁକ୍ରବାର ସଲୋନୀ ହସ୍ପିଟାଲ୍ ଗସ୍ତରେ ଯାଇଥିବା ସମୟରେ ଅପରିଷ୍କାର ଦେଖି ଖୁବ୍ ରାଗି ଯାଇଥିଲେ । ହେଲେ କାହାକୁ କିଛି ନକହି ନିଜେ ସଫାକରିବାକୁ ଲାଗିଲେ । ପ୍ରାୟ ୨ ଘଂଟା ଧରି ସଫା କରିଥିଲେ ହସ୍ପିଟାଲ୍ ।

ଆଇଏଏସ୍ ସଲୋନୀ ଏହା ପୂର୍ବରୁ ନିଜ ବିବାହକୁ ନେଇ ଚର୍ଚ୍ଚିତ ହୋଇଥିଲେ । ମାତ୍ର ୫୦୦ଟଙ୍କାରେ ବିବାହ କରିଥିଲେ ସଲୋନୀ ଏବଂ ଆଶିଷ ବଶିଷ୍ଠ । ସବୁଠାରୁ ବଡ କଥା ହେଲା ବିବାହର ମାତ୍ର ୪୮ଘଂଟା ପରେ ଉଭୟ ନିଜ ନିଜ କାମରେ ଯୋଗ ଦେଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି କୌଣସି ଲୋକପ୍ରିୟତା ପାଇଁ ସଲୋନୀ ଏସବୁ କରିନାହାଁନ୍ତି ବରଂ ନିଜ କର୍ତ୍ତବ୍ୟ ପ୍ରତି ଉତ୍ସଗୀକୃତ ମନୋଭାବ ଯୋଗୁଁ ହିଁ ଏପରି କରିଛନ୍ତି  ।