କେମିତି ଅଛି ସୁନ୍ଦରୀ ? ବାଘୁଣୀର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ, ସତ ଲୁଚାଉଛି କି ବନ ବିଭାଗ ?

60

କନକ ବ୍ୟୁରୋ : ସାତକୋଶିଆରେ ମଧ୍ୟପ୍ରଦେଶର ମହାବଳ ବାଘ ମହାବୀରର ହଠାତ୍ ମୃତ୍ୟୁ ପରେ ସୁନ୍ଦରୀକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଟ୍ରାଙ୍କୁଲାଇଜ ପରେ ବାଘୁଣୀ ସୁ୍ନ୍ଦରୀକୁ ରାଇଗୁଡା ଜଙ୍ଗଲ ଏନକ୍ଲୋଜରରେ ରଖାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହୁଛି । ସେପଟେ ଟ୍ରାଙ୍କୁଲାଇଜ୍ ପରେ ସୁନ୍ଦରୀ ଗୁରୁତର ଅସୁସ୍ଥ ଥିବା ଏବଂ ଚାଲିପାରୁନଥିବା ଚର୍ଚ୍ଚା ହେଉଛି ।

ନଭେମ୍ବର ୬ ତାରିଖ ୨୦୧୮ । ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କଲା ବିଶେଷଜ୍ଞ ଟିମ୍ । କାବୁ ହେଲା ବନ ବିଭାଗକୁ ନାକେଦମ କରିଥିବା ବାଘୁଣୀ । ପରେ ତାକୁ ରାଇଗୁଡା ଜଙ୍ଗଲରେ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି । ପ୍ରଶ୍ନ ଉଠୁଛି କେମିତି ଅଛି ସୁନ୍ଦରୀ? ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଅଛି ବାଘୁଣୀ?

ରାଇଗୁଡ଼ା ହେଉଛି ସେହି ସ୍ଥାନ, ଯେଉଁଠି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ ଆଣିବା ପରେ ପ୍ରଥମେ ରଖାଯାଇଥିଲା । ସେତେବେଳେ ସୁନ୍ଦରୀର ପ୍ରତିଟି ଗତିବିଧି ଉପରେ ନଜର ରଖି ତାର ସୂଚନା ଦେଉଥିଲା ବନ ବିଭାଗ । ହେଲେ ଟ୍ରାଙ୍କୁଲାଇଜ୍ କରିବା ପରଠାରୁ ସୁନ୍ଦରୀର ଆଉ ଫଟୋ କି ଭିଡିଓ ଗଣମାଧ୍ୟମକୁ ଦିଆଯାଉନାହିଁ । ଯାହା ସନ୍ଦେହ ବଢାଉଛି ।

୫ ମାସ ଭିତରେ ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜ୍ । ଥରେ ବାନ୍ଧବଗଡରେ ଏବଂ ଆଉ ଥରେ ସାତକୋଶିଆରେ । ଚର୍ଚା ହେଉଛି, ଟ୍ରାଙ୍କୁଲାଇଜ୍ ମାଡରେ ଗୁରୁତର ଅସୁସ୍ଥ ହୋଇପଡିଛି ସୁ୍ନ୍ଦରୀ । ଏପରିକି ଠିକ୍ ଭାବରେ ଚାଲିପାରୁନି, ଛୋଟାଉଛି ବାଘୁଣୀ । ସୁନ୍ଦରୀକୁ ନେଇ ଚର୍ଚା ଭିତରେ ବନ ବିଭାଗ କିନ୍ତୁ କହୁଛି, ସମ୍ପୂର୍ଣ୍ଣ ସୁସ୍ଥ ଅଛି ବାଘୁଣୀ । ଏନକ୍ଲୋଜର ଭିତରେ ଘୁରି ବୁଲୁଛି ଆଉ ଶୀକାର ବି କରୁଛି । ସାତକୋଶିଆରେ ବାଘ ବଂଶବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ମହାବୀରର ହଠାତ୍ ମୃତ୍ୟୁ ପରେ ବଦନାମ ହୋଇଛି ଓଡିଶା । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସୁସ୍ଥ ଅଛି ତ ସୁନ୍ଦରୀ? ନା ସତ ଲୁଚାଇବାକୁ ଉଦ୍ୟମ କରୁଛି ବନ ବିଭାଗ?