ବାଗଦାଦୀକୁ କୁକୁର ଭଳି ମାରିଥିଲା ଆମେରିକା ସେନା । କିନ୍ତୁ ବିଶ୍ୱର ଏହି ନମ୍ବର ୱାନ ଆତଙ୍କବାଦୀ ପାଖରେ ପହଞ୍ଚିବାକୁ ଆମେରିକା ସେନାକୁ ସାହାଯ୍ୟ କରିଥିଲା ବାଗଦାଦୀର ବିଶ୍ୱସ୍ତ ସହଯୋଗୀ

601

କନକ ବ୍ୟୁରୋ : ବିଶ୍ୱର ନମ୍ବର ୱାନ୍ ଆତଙ୍କବାଦୀ ବାଗଦାଦୀକୁ କୁକୁର ଭଳି ହତ୍ୟାର କରିବାରେ ସଫଳ ହୋଇଛି ଆମେରିକା ସେନା । ଆମେରିକା ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନରେ ବାଗଦାଦୀ ସହ ତା’ର ଦୁଇ ପତ୍ନୀ ଓ ୩ସନ୍ତାନ ମୃତ୍ୟୁବରଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଥିଲେ । ତେବେ ବାଗଦାନୀ ପାଖରେ ପହଞ୍ଚିବା ଆମେରିକା ସେନା ପାଇଁ ଏତେ ସହଜ ନଥିଲା । ବାଗଦାଦୀ ପାଖରେ ପହଞ୍ଚିବା ପାଇଁ ଆମେରିକୀୟ ସେନାକୁ ତା’ର ଜଣେ ବିଶ୍ୱସ୍ତ ସହଯୋଗୀ ସାହାଯ୍ୟ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୨୦୧୮ରେ ଇସଲାମିକ୍‌ ଷ୍ଟେଟର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟକୁ ଇରାକୀ ସୁରକ୍ଷା ଅଧିକାରୀ ଗିରଫ କରିଥିଲେ । ସେ ବାଗଦାଦୀର ଅତି ନିକଟତର ଥିବା ସହ ସମସ୍ତ ସୂଚନା ତା’ ପାଖରେ ରହୁଥିଲା । ଗିରଫ ପରେ ବାଗଦାଦୀ କିଭଳି ଏତେ ବର୍ଷ ଧରି ସେନା ଆଖିରେ ଧୂଳି ଦେଇ ଖସି ଆସୁଥିଲା, ତାହା ସେ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲା । ଗିରଫ ହୋଇଥିବା ଆତଙ୍କବାଦୀର ନାଁ ଇସମାଇଲ ଅଲ୍‌-ଇଥବୀ ଥିବା ବେଳେ ସେ ଦେଇଥିବା ସୂଚନା ଆଧାରରେ ଏବେ ବାଗଦାଦୀକୁ ହତ୍ୟା କରାଯାଇ ପାରିଥିବା କୁହାଯାଉଛି ।

ବାଗଦାଦୀ ଗିରଫ ଏଡାଇବା ପାଇଁ ସବୁବେଳେ ପରିବା ବୋଝେଇ ମିନିବସରେ ଆକ୍ରମଣର ଯୋଜନା କରିଥାଏ । ଇଥବୀକୁ ମିଶାଇ ୫ଜଣଙ୍କ ସହ ବାଗଦାଦୀ ସିରିଆ ଓ ଅନ୍ୟ ସ୍ଥାନରେ ଆକ୍ରମଣର ଯୋଜନା ବନାଇଥାଏ ବୋଲି ସୁରକ୍ଷା ଅଧିକାରୀଙ୍କୁ ଇସମାଇଲ ସୂଚନା ଦେଇଥିଲା । ବୈଠକର ସ୍ଥାନ ବିଷୟରେ ଜାଣିବା ପରେ ଇରାକୀ ସୁରକ୍ଷା ଅଧିକାରୀଙ୍କୁ ବାଗଦାଦୀ ପାଖରେ ପହଞ୍ଚିବା ସହଜ ହୋଇ ଯାଇଥିଲା । ବର୍ଷକ ମଧ୍ୟରେ ପାଇଥିବା ସୂଚନାକୁ ଆଧାର କରି ସେନା ବାଗଦାଦୀ ପାଖରେ ପହଞ୍ଚିବା ସହ ତାକୁ ନିହତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।