କିଏ ଏହି ଅବୁ ବକର ଅଲ୍ ବାଗଦାଦି ? କେମିତି ବିଶ୍ୱକୁ ଏକ ଦଶନ୍ଧି ଧରି ଥରହର କରି ରଖିଥିଲା ଏହି ଦୁର୍ଦ୍ଦଶ ଆତଙ୍କବାଦୀ ?

535

କନକ ବ୍ୟୁରୋ : ଅବୁ ବକର ଅଲ୍ ବାଗଦାଦି । ଏହି ନାଁ ହିଁ ତାର ପରିଚୟ । ଏହି ନାଁ ଏତେ ପରିଚିତ ଯେ ତାକୁ ପରିଚୟ ଦେବା ପାଇଁ ଅନ୍ୟ କୌଣସି ଅବଧାରଣର ଆବଶ୍ୟକତା ନାହିଁ । ସାରା ବିଶ୍ୱକୁ ଆତଙ୍କବାଦର ଭୟାବହତା ସଂପର୍କରେ ପରିଚିତ କରିଥିଲା ଏହି ନାଁ । ସିରିଆ, ଇରାକ, ଇରାନ ସମେତ ଆମେରିକା, ୟୁରୋପୀୟ ମହାସଂଘକୁ ଆତଙ୍କିତ କରିଥିଲା ଅବୁ ବକର ଅଲ ବଗଦାଦି । ବିଶ୍ୱକୁ ଏକ ଦଶନ୍ଧି ଧରି ଥରହର କରି ରଖିଥିବା ଏହି ବଗଦାଦି, ବଗଦାଦି ସାଜିଲା କିପରି? ଏହା ହୁଏତ ସମସ୍ତଙ୍କୁ ଜଣାନଥିବ ।

ସାରା ବିଶ୍ୱକୁ ଏକ ଇସଲାମ ସାମ୍ରାଜ୍ୟରେ ସାମିଲ କରିବାର ସ୍ୱପ୍ନ ଦେଖୁଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖିଆ ଥିଲା ବାଗଦାଦି । ଆଉ ସେହି ସ୍ୱପ୍ନକୁ ପୁରଣ କରିବା ପାଇଁ ମସଜିଦର ମୌଲବୀରୁ ଆତଙ୍କବାଦୀ ପାଲଟିଯାଇଥିଲା ଅବୁବକର ଅଲ ବାଗଦାଦି ।

ସଦ୍ଦାମ ହୁସୈନଙ୍କ ପରେ ବଗଦାଦି । ଇରାକରେ ପଡିିଲା ଆଇଏସର ମୂଳଦୁଆ । ବାଗଦାଦି ନିହତ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଆଇଏସଆଇଏସ । କଣ ଏହି ଆଇଏସଆଇଏସ ବା ଆଇଏସ । ଏହି ଆତଙ୍କବାଦୀ ସଂଗଠନ କେଉଁଠୁ ଆସିଲା ? କିଏ ଏହାକୁ ଆଣିଲା ? କାହିଁକି ଆଣିଲା? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣଙ୍କୁ ସଦ୍ଦାମ ହୁସୈନଙ୍କ ଇରାକକୁ ମନେ ପକାଇବାକୁ ପଡିବ । ଏକ ଲମ୍ବା ଯୁଦ୍ଧ ପରେ ସଦ୍ଦାମଙ୍କ ପଞ୍ଝାରୁ ଇରାକକୁ ମୁକ୍ତ କରି ସ୍ୱଦେଶ ଫେରିଯାଇଥିଲେ ଆମେରିକୀୟ ସୈନ୍ୟ । ସେତେବେଳେ ଇରାକରେ ମୁଣ୍ଡ ଟେକିଥିଲା ଅବୁ ବକର ଅଲ୍ ବଗଦାଦି । ଏକ ମସଜିଦର ମୌଲବି ଥିବା ବଗଦାଦି ପ୍ରଥମେ ଅଲକାଏଦା ପାଇଁ କାମ କରୁଥିଲା । ଇରାକ ଓ ସିରିଆର ଅଲକାଏଦା ଗ୍ରୁପର ମୁଖିଆ ହେବା ପରେ ସଂଗଠନର ନାଁ ୨୦୧୩ ମସିହାରେ ବଦଳାଇ ରଖିଥିଲା ଇସଲାମିକ ଷ୍ଟେଟ୍ ଅଫ ଇରାକ୍ ଆଣ୍ଡ ସିରିଆ- ଆଇଏସଆଇଏସ ।

୨୦୧୩ ମସିହାରେ ଆଇଏସଆଇଏସ ଗଠନ ପରେ ଅବୁ ବକର ଅଲ ବଗଦାଦି ଆଉ ପଛକୁ ଫେରିନଥିଲା । ମାତ୍ର ଗୋଟିଏ ବର୍ଷ ଭିତରେ ଆଇଏସଆଇଏସର ଜିହାଦୀଙ୍କ ଜରିଆରେ ଇରାକ ଓ ସିରିଆର ବହୁ ବଡ ବଡ ସହରକୁ କବଜା କରି ନିଜକୁ ଖଲିଫା ଘୋଷଣା କରିଥିଲା ବଗଦାଦି ।

୨୦୧୩ ମସିହାରେ ଆଇଏସଆଇଏସ ଗଠନ ପରେ ଇରାକରେ ପ୍ରଭାବ ବିସ୍ତାର ଆରମ୍ଭ କରିଥିଲା ବଗଦାଦି । ସଦ୍ଦାମ ହୁସୈନଙ୍କ ସେନାର କମାଣ୍ଡର ଓ ସୈନ୍ୟଙ୍କୁ ନେଇ ଆଇଏସ ସେନା ଗଠନ କରାଯାଇଥିଲା । ଏଥିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ବହୁ ଯୁବକ ଇରାକ ଓ ସିରିଆ ଯାଇ ବଗଦାଦିର ଯୋଦ୍ଧା ସାଜିଥିଲେ । ୨୦୧୪ ମସିହାରେ ମାତ୍ର ଗୋଟିଏ ବର୍ଷ ଭିତରେ ସିରିଆର ରକ୍କା, ପାମୟେରା, ଦିୟର ହଜୌର, ହସାକ୍କା, ଏଲୋପ୍ପୋ, ହାମ୍ସ ଓ ୟାରମୁକ ଭଳି ସହରକୁ କବଜା କରିଥିଲା ଦୁର୍ଦ୍ଦଶ ଆଇଏସଆଇଏସ ।

ସେହିପରି ଇରାକର ମସଲନ ରମାଦି, ଅନବାର, ତିକରିତ, ମୌସୁଲ ଓ ଫାଲୁଜା ଭଳି ବଡ ସହରକୁ ନିଜ କବଜାକୁ ନେଇ ଇସଲାମିକ୍ ସାମ୍ରାଜ୍ୟ ଆରମ୍ଭ କରିଥିଲା ବଗଦାଦି । ଯେଉଁଠି କେବଳ ସରିଆ ଆଇନ ଚଳୁଥିଲା । ୨୦୧୪ ମସିହାରେ ମୋସୁଲର ଅଲନୁରି ମସଜିଦରେ ଭାଷଣ ଦେଇ ବଗଦାଦି ନିଜକୁ ଖଲିଫା ଘୋଷଣା କରିଥିଲା । ଏହା ଥିଲା ସାରା ଦୁନିଆ ଆଗରେ ବଗଦାଦିର ପ୍ରଥମ ଭାଷଣ ।

ସିରିଆରୁ ବାଗଦାଦି ଯୁଗର ଅନ୍ତ । ନିହତ ହେଲା ଦୁର୍ଦ୍ଦଶ ଆତଙ୍କବାଦୀ । ୨୦୧୪ ମସିହାର ଶେଷ ଓ ୨୦୧୫ ମସିହା ପରଠୁ ଆଇଏସଆଇଏସ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ପାଶ୍ଚାତ୍ୟ ରାଷ୍ଟ୍ର । ଆମେରିକା, ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ବଗଦାଦିର ନିପାତ ପାଇଁ ଇରାକ ଓ ସିରିଆକୁ ସେନା ପଠାଇଥିଲେ । ଦୀର୍ଘ ଦିନର ଯୁଦ୍ଧ ଭିତରେ ବଗଦାଦିର ମୃତ୍ୟୁ ଖବର ଅନେକ ଥର ଆସିଛି, ଆଉ କିଛି ଦିନ ପରେ ଭିଡିଓ ଜାରି କରି ସେ ଜୀବିତ ଥିବା ନେଇ ବିଶ୍ୱକୁ ପ୍ରମାଣ ଦେଉଥିଲା । ବାରମ୍ବାର ମୃତ୍ୟୁକୁ ମାତ ଦେଇ ଆସୁଥିବା ଏହି ମୃତ୍ୟୁର ସୌଦାଗର ଅକ୍ଟୋବର ୨୭ରେ ଆମେରିକା ସେନା ହାତରେ କୁକୁର ଭଳି ନିହତ ହୋଇଛି ।