ମନେପଡେ ମହାବାତ୍ୟା: ବଡ ବଡ ଗଛ ଭାଙ୍ଗି ପଡୁଥିଲା, କୁଢକୁଢ ଶବ ଭାସି ଯାଉଥିଲା । କୋଡିଏ ବର୍ଷ ପରେ ବି ମନରୁ ଲିଭିନି ସେଦିନର କରୁଣ ଚିତ୍ର…

367

କନକ ବ୍ୟୁରୋ: ସେଦିନ ଭୟଙ୍କର ବର୍ଷା ହେଉଥିଲା । ସୁ… ସୁ ପବନରେ ଚତୁର୍ଦ୍ଦିଗ କମ୍ପୁଥିଲା । ବଡ ବଡ ଗଛ ଭାଙ୍ଗି ପଡୁଥିଲା, ଘରଦ୍ୱାର ସବୁ ଭାସି ଯାଉଥିଲା, ଜୀବନ ନେଇ ଦୌଡୁଥିବା ମଣିଷମାନେ ପାଣି ପାଟିରେ ପଶି ଯାଉଥିଲେ ଆଉ ଗୋଟେ ଗୋଟେ ଗାଁ ଶ୍ମଶାନ ପାଲଟି ଯାଉଥିଲା । ମହାବାତ୍ୟା ମହାତାଣ୍ଡବର ପ୍ରତିଟି ଦୃଶ୍ୟକୁ ଘର ଛପର ଉପରେ ଥାଇ ଦେଖିଥିଲେ ବଞ୍ଚି ଯାଇଥିବା ମଣିଷମାନେ । ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ପୂରିଥିବା ବେଳେ ସେଦିନର ସେ ମୁହୂର୍ତ୍ତକୁ ମନେପକାଇଛନ୍ତି ମହାବାତ୍ୟାର ମୁକସାକ୍ଷୀ ପାଲଟିଥିବା ମଣିଷମାନେ ।

୨୯ ଅକ୍ଟୋବର ୧୯୯୯ । ଓଡିଶାରେ ତାଣ୍ଡବ ରଚିଥିଲା ମହବାତ୍ୟା । ଭୟଙ୍କର ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିଲା ଅଧା ରାଜ୍ୟ । ମାଟିରେ ମିଶିଥିଲା ଜୀବ, ଜନ୍ତୁଙ୍କ କୁଢକୁଢ ଶବ । ସେଦିନର କଥା ଆଜି ବି ମନେ ପଡିଗଲେ ଲୋମ ମୂଳ ଟାଙ୍କୁରୀ ଉଠେ, ଦେହ ଶୀତେଇ ଯାଏ । ତେବେ ସେଦିନର ସେହି କାଳ ରାତିର କରୁଣ କାହଣୀକୁ ଆଜି ବି ଭୁଲି ନାହାନ୍ତି କେନ୍ଦ୍ରାପଡା ମହାକାଳପଡା ତେନ୍ତୁଳିକନ୍ଧା ଗାଁ ଲୋକେ । କ୍ୟାଲେଣ୍ଡରରେ ୨୯ ତାରିଖ ଆସିଲେ ଛାତି ଭିତରେ ଶୋଇ ପଡିଥିବା ସେ ଛନକା ଜାଗ୍ରତ ହୋଇଉଠେ ।

କେବଳ ମହାବାତ୍ୟା ତାରିଖ ନୁହେଁ ବରଂ କେଉଁ ବାର ଆଉ କେଉଁ ସମୟରେ ସାରା ଗାଁକୁ ମାଡି ବସିଥିଲା ସବୁ ମନେରଖିଛନ୍ତି ଗାଁ ଲୋକେ । ଲୁଣି ପାଣିର ଜୁଆର ଗାଁର ଘରଦ୍ୱାର ଟାଣି ନେଉଥିଲା ବେଳେ ମଣିଷମାନଙ୍କୁ ମଧ୍ୟ ଘୋଷାଡି ନେଇଥିଲା । ଆଖି ଆଗରେ ନିଜର ଲୋକ ଭାସି ଯାଉଥିଲେ ବି ଜୀବନ ଭୟରେ ସମସ୍ତେ ନାଚାର ଥିଲେ । ତେବେ ମହାବାତ୍ୟା ମୁହଁରୁ କାହାରିକୁ ବଞ୍ଚାଇ ନପାରି ପରିବାରର ୪ ଜଣଙ୍କୁ ହରାଇଥିଲେ ସୁଧୀର ମଣ୍ଡଳ ।


ବତ୍ୟା ପରେ ଭୟାନକ ସ୍ଥିତି ଆଣିଥିଲା ବନ୍ୟା । ଘରେ ପାଣି ପଶି ଯିବା ପରେ ଲୋକେ ଜୀବନ ବିକଳରେ ଘର ଛପର ଉପରେ ଆଶ୍ରୟ ନେଇଥିଲେ । ଆଉ ଏହି ସମୟରେ କୁଢ କୁଢ ଶବ ଭାସି ଯାଉଥିବା ପାଖରୁ ଦେଖିଥିଲେ ଲୋକେ ।

ମହାବାତ୍ୟାରେ ତେନ୍ତୁଳିକନ୍ଧା ଗାଁର ମୋଟ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ଗୋଟିଏ ପରିବାରରୁ ୪-୫ ଜଣଙ୍କ ଜୀବନ ଯାଇଥିବା । ଆଉ କିଛି ପରିବାର ନିଶ୍ଚିହ୍ନ ହୋଇଯାଇଥିଲା । ତେବେ ୨୦ ବର୍ଷ ପରେ ନୁହେଁ ବରଂ ମଲା ଯାଏଁ ମହାବାତ୍ୟାର ସେ ମୁହୂର୍ତ୍ତ ସବୁ ମନେ ରହିବ ବୋଲି ମୁକସାକ୍ଷୀମାନେ କହିଛନ୍ତି ।